ଆନ୍ତଃ ଜିଲ୍ଲା ଟି-୨୦ ଲିଗ୍: ରେଳବାଇକୁ ହରାଇ କଟକ-ଏ’ ଚାମ୍ପିଅନ୍

କଟକ,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଚାଲିଥିବା ଆନ୍ତଃ ଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟରେ କଟକ-ଏ’ ଚାମ୍ପିଅନ୍ ହୋଇଛି। ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ରାତିରେ ଅନୁଷ୍ଠିତ ଫାଇଇନାଲ୍ ମ୍ୟାଚରେ ପୂର୍ବତଟ ରେଳବାଇକୁ ୭ ରନରେ ପରାସ୍ତ କରି କଟକ-ଏ’ ଟାଇଟଲ ହାସଲ କରିଛି। ଏହି ହାଇଭୋଲଟେଜ୍ ମ୍ୟାଚରେ କଟକ-ଏ’ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ଜବାବରେ ରେଳବାଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୨୩ ରନ୍ କରି ରନର୍ସଅପରେ ସନ୍ତୁଷ୍ଟ ରହିଥିଲା।

କଟକ-ଏ’ ପକ୍ଷରୁ ବିପ୍ଳବ ସାମନ୍ତରାୟ ୩୨ ରନ୍ ସଂଗ୍ରହ କରିଥିବା ବେଳେ ରାମଚନ୍ଦ୍ର ବେହେରା ୩୦, ଦୀପକ ବେହେରା ୨୩ ଓ ଏସ୍. କନୋଜିଆ ୭ ରନ୍ କରିଥିଲେ। ରେଳବାଇ ପକ୍ଷରୁ ଆଲୋକ ମଙ୍ଗରାଜ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଜୟନ୍ତ ବେହେରା ୨ଟି ଲେଖାଏଁ ୱିକେଟ ନେଇଥିଲେ।

ରେଳବାଇ ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ଅପରାଜିତ ୩୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅଙ୍କିତ ଯାଦବ ୨୮ ଓ କାମେଶ୍ୱର ବାରିକ ୨୨ ରନ୍ କରିଥିଲେ। କଟକ-ଏ’ ପକ୍ଷରୁ ସୁନୀଲ ରାଉଳ ଓ ଆଶିଷ ରାୟ ୨ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଅଭିଷେକ ରାଉତ, ଅରବିନ୍ଦ ସିଂହ ଓ ଦୀପକ ବେହେରା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।