ଶୋଇଥିବା ଅବସ୍ଥାରେ ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା, ପୁଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି

ସଇଁତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଲ ଫାଣ୍ଡି ଧରବଗଡ଼ ଗ୍ରାମରେ ଜଣେ ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାମ ହେଉଛି ସତ୍ୟ ନାରାୟଣ ପୁରୋହିତ (୫୨)। ସେ ଘରେ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ତାଙ୍କ ଗଳାକାଟି ଫେରାର ହୋଇଯାଇଥିବା କୁହାଯାଉଛି। ଏ ନେଇ ସଇଁନ୍ତଲା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ସଇଁତଲା ଆଇଆଇସି ବାରଣୀ ଦାଶଙ୍କ ସହ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ଧରବଗଡ଼ ଗ୍ରାମର ସତ୍ୟ ନାରାୟଣ ପୁରୋହିତଙ୍କର ଏକ ଦୋକାନ ଅଛି। ଗତ ୨୪ ତାରିଖ ଦିନ ରାତ୍ରିରେ ସେ ଖାଇ ସାରି ନିଜ ଦୋକାନକୁ ଶୋଇବାକୁ ଯାଇଥିଲେ। ତେବେ ସକାଳୁ ଉଠିବା ବିଳମ୍ବ ହେବାରୁ ତାଙ୍କର ବଡ଼ଭାଇ ନିଲାଳ ପୁରୋହିତ ସକାଳ ସାଢ଼େ ୮ ଘଣ୍ଟା ସମୟରେ କବାଟକୁ ଧକ୍କା ଦେଇ ଭିତରକୁ ପଶିଥିଲେ। ସେଠାରେ ସତ୍ୟ ନାରାୟଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଟରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କ ବାମ ବେକ ଗଳାକୁ ଏକ ଧାରୁଆ ଅସ୍ତ୍ରରେ ଆଘାତ କରି ଦୁର୍ବୃତ୍ତ ମାନେ ହତ୍ୟାକରିଥିବା ବଡ଼ଭାଇ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ସଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି।