ଫୁଲବାଣୀ,ଏନ୍ଏନ୍ଏସ୍: ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପଞ୍ଚଦେବୀ ପଞ୍ଚଠାକୁରାଣୀଙ୍କୁ ପଟୁଆରରେ ଆବାହନ ପରେ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପରେ ଅବସ୍ଥାପିତ କରାଯାଇଛି। ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ବେଳେ ଭକ୍ତମାନଙ୍କର ଶୁଅ ଛୁଟିବାର ଆରମ୍ଭ ହୋଇଛି। ଶୁକ୍ରବାର ଠାରୁ ପଞ୍ଚଦେବୀ ନଗର ଭ୍ରମରରେ ତାଙ୍କର ଯାତ୍ରା ଆରମ୍ଭ କରିବେ। ଯାତ୍ରା ମଣ୍ଡପଠାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ।
ପ୍ରଥମ ଦିନରେ ନଟରାଜ କଳାମନ୍ଦିର ପକ୍ଷରୁ ସଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥିଭାବେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଯୁବ ବ୍ୟବସାୟୀ ପ୍ରମୋଦ କୁମାର ସାହୁ ଓ ବରିଷ୍ଠ ଆଇନଜୀବୀ ସିଦ୍ଦେଶ୍ୱର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ମଞ୍ଚ ସଂଯୋଜକ ଅଶୋକ ମହାନ୍ତିଙ୍କ ସଂଯୋଜନା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ବିଜୟ ମହାନ୍ତି, ସଭାପତି ପି. ସୁଧାଂଶୁ ସେନାପତି, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପସଭାପତି ସୁଜିତ୍ ବେହେରା, ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ ଓ ସହ ସମ୍ପାଦକ ସୁମନ ପଟନାୟକ, ପାର୍ଥ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।
ଦୀର୍ଘ ୪ ବର୍ଷ ପରେ ପଞ୍ଚଦେବୀ ଯାତ୍ରା କରିବାକୁ ଆସିଥିବା ଯୋଗୁଁ ପ୍ରଥମ ଦିନରୁ ହିଁ ଭକ୍ତଙ୍କ ସାମଗମ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ମନୋଜ ରଂଜନ କାର୍ଯକ୍ରମକୁ ଉପଭୋଗ କରିଥିଲେ। ବିନୋଦ ସାହୁ, ଅଲୋକ କୁମାର ସେନାପତି, ଭି. ଜଗନ୍ନାଥ ରାଜୁ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।