କୋଲକାତା ନାଇଟ୍ ରାଇଡର୍ସକୁ ୧୮ ରନରେ ପରାସ୍ତ କଲା ଚେନ୍ନଇ ସୁପର କିଙ୍ଗ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲ ୨୦୨୧ର ୧୫ତମ ମ୍ୟାଚ ରୋମାଞ୍ଚକର ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ କୋଲକାତା ନାଇଟ ରାଇଡର୍ସ ୧୮ ରନ‌ରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୨୦ ରନ୍ କରିଥିଲା। ଜବାବରେ କୋଲକାତା ଅଲଆଉଟ ସହ ୨୦୨ ରନ୍ କରିପାରିଥିଲା।

ଆଇପିଏଲ୍‌-୨୦୨୧ରେ ଚେନ୍ନାଇ ପ୍ରଥମ ମ୍ୟାଚ ହାରିବା ପରେ ଲଗାତାର ୩ଟି ମ୍ୟାଚରେ ବିଜୟୀ ହୋଇଛି। ଚେନ୍ନାଇକୁ ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ହାତରୁ ହାରିବାକୁ ପଡିଥିଲା। ଏହା ପରେ ପଞ୍ଜାବ, ରାଜସ୍ଥାନ ଓ କୋଲକାତାକୁ କ୍ରମାଗତ ଭାବେ ପରାସ୍ତ କରିଛି।

ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ଫିଲ୍ଡିଂ କରିଥିଲା। ଚେନ୍ନଇ ସୁପର କିଙ୍ଗ୍ସର ଦୁଇ ଓପ୍ନର ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍ୱାଡ୍ ଆରମ୍ଭରୁ ଆକ୍ରାମକ ବ୍ୟାଟିଂ କରିଥିଲେ। ୬ ଓଭରର ପାୱର ପ୍ଲେ ଶେଷରେ ସିଏସ୍କେ ୫୪ ରନ୍ କରିଥିଲା। ୧୨ ଓଭରରେ ୧୧୫ ରନ ଓପ୍ନିଂ ଭାଗିଦାରୀ ପରେ ଗାଏକ୍ୱାଡ୍ ଆଉଟ ହୋଇଥିଲେ। ମହାରାଷ୍ଟ୍ରର ଋତୁରାଜ ୪୨ ବଲରେ ୪ଟି ଛକା ଓ ୬ଟି ଚୌକା ସହ ୬୪ ରନ୍ କରିଥିଲେ। ସିଏସ୍କେ ଶେଷ ୧୦ ଓଭରରେ ୧୩୮ ରନ୍ କରିଥିଲା। ସେହିପରି ମୋଇନ ଅଲ୍ଲୀ ୧୨ ବଲ ଖେଳି ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୮ ବଲରେ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍, ରବୀନ୍ଦ୍ର ଜାଡ଼େଜା ଗୋଟିଏ ବଲ୍ ଖେଳି ଛକା ମାରି ଆଉଟ ହୋଇଥିଲେ। ଫାଫ୍ ଡୁ ପ୍ଲେସି ୬୦ ବଲ୍ ଖେଳି ବିସ୍ଫୋରକ ବ୍ୟାଟିଂ କରି ୪ଟି ଛକା ଓ ୯ଟି ଚୌକା ସହ ୯୫ ରନ କରି ଅପରାଜିତ ଥିଲେ। ଏଥିସହିତ ୩ ଟି ୱିକେଟ ସହ ଦଳୀୟ ସ୍କୋର ୨୨୦ରେ ପହଞ୍ଚିଥିଲା। ଏଥିରେ ଚକ୍ରବର୍ତ୍ତୀ, ନାରେଣି ଓ ରସେଲ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ କୋଲକାତା ନାଇଟ୍ ରାଇଡର୍ସ ୨୨୧ ରନର ପିଛା କରି ୧୮ ରନରେ ପରାସ୍ତ ହୋଇଥିଲା। କୋଲକାତାର ଓପ୍ନର ଶୁଭମନ ଗିଲ୍ ବିନା ସ୍କୋରରେ ଆଉଟ ହେବା ସହ ନୀତୀଶ ରାଣା ୯ ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ ଇଅନ୍ ମୋର୍ଗାନ୍ ୭ ରନ କରି ଆଉଟ ହୋଇଥିଲେ। ଏଥିସହିତ ସୁନୀଲ ନାରେଣି ୪ ରନ ଓ ରାହୁଲ ତ୍ରିପାଠୀ ୮ ରନ କରିଥିଲେ। ପରେ ରସେଲ୍ ଓ ଦିନେଶ କାର୍ତ୍ତିକ ୬ ଓଭରରେ ୮୧ ରନ କରିଥିଲେ। ରସେଲ୍ ୨୨ ବଲରେ ୬ଟି ଛକା ଓ ୩ଟି ଚୌକା ସହ ୫୪ ରନ୍ କରିଥିଲେ। ଦିନେଶ କାର୍ତ୍ତିକ ୨୪ ବଲରେ ୨ଟି ଛକା ଓ ୪ଟି ଚୌକା ସହ ୪୦ ରନ କରିଥିଲେ। ପରେ ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ବଲ ଖେଳି ରନ ଆଉଟ ହୋଇଯାଇଥିଲେ। ପାଟ କମିନ୍ସ ୩୪ ବଲରେ ୬ଟି ଛକା ଓ ୪ଟି ଚୌକା ସହ ୬୬ ରନ କରି ଅପରାଜିତ ଥିଲେ। ଦୀପକ ଚହର ୪ଟି, ଲୁଙ୍ଗି ଏନଗିଦ ୩ଟି ଓ ସାମ୍ କରଣ ଗୋଟିଏ ୱିକେଟ ପାଇଥିଲେ।