ଗିରଫ ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି

ପୁରୀ,ଏନ୍ଏନ୍ଏସ୍: ରାଜ୍ୟରେ ଦୈନନ୍ଦିନ ଭିଜିଲାନ୍ସ ରେଡ ହେଉଛି। ପ୍ରାୟତଃ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ କରି ତାଙ୍କୁ ଗିରଫ କରିଛି। ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସୂଚନା ପାଇ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା। ତାଙ୍କର ପୈତୃକ ଘର, ଶାଶୂ ଘର, ଅଙ୍ଗନବାଡ଼ି କେନ୍ଦ୍ର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା।

ତାଙ୍କ ନିକଟରୁ ୨ କୋଟି ୨୦ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ଅଙ୍ଗନବାଡ଼ି ଦିଦିଙ୍କ ଭୁବନେଶ୍ୱରରେ ୨ଟି ଫ୍ଲାଟ ରହିଛି। ଏଥିସହିତ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା ଘର ମଧ୍ୟ ଠାବ ହୋଇଛି। ଏପରିକି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଜମା ରହିଛି। ଏଥିସହିତ ନିଜ ଘରେ ଏକ ଛତୁଆ କେନ୍ଦ୍ର ଖୋଲିଛନ୍ତି। ଏହି ସବୁ ସମ୍ପତ୍ତିର ଯାଞ୍ଚ କରିବା ପରେ ତାଙ୍କୁ ଗିରଫ କରାଯାଇଛି।