ଗିରଫ ହେଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ-୨ର ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ ସେଲ୍ ପୁଲିସ କେସ ନଂ ୫/୨୦ରେ ଏକ ମାମଲା ରୁଜୁ କରିଛି। ଏହାସହ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ କୋର୍ଟ ଚାଲାଣ କରାଯାଇଥିଲା। ମାନ୍ୟବର କୋର୍ଟ ଜାମିନ ଖାରଜ କରିବା ସହ ରବୀନ୍ଦ୍ରଙ୍କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଠାବ ହୋଇଥିବା ୬ କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ସମ୍ପତ୍ତି ମଧ୍ୟରୁ ୫ କୋଟି ୨୧ ଲକ୍ଷ ୮ହଜାର ୪୫୦ ଟଙ୍କାର ସମ୍ପତ୍ତି ଆୟବହିର୍ଭୂତ ବୋଲି ଭିଜିଲାନ୍ସ ଆକଳନ କରିଛି। ଯାହା ତାଙ୍କ ଆୟ ବ୍ୟୟ ଠାରୁ ୨୪୧ ପ୍ରତିଶତ ଅଧିକ। ଏହି ସମ୍ପତ୍ତିର ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଭିଜିଲାନ୍ସ ସୂଚନା ଅନୁସାରେ, ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ-୨ର ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ଆସିଥିଲା। ଉକ୍ତ ଅଭିଯୋଗ ଆଧାରରେ ଭିଜିଲାନ୍ସ ସେଲ ପକ୍ଷରୁ ଗତ ମଙ୍ଗଳବାର ତାଙ୍କ ଘର ସମେତ ୬ଟି ଜାଗାରେ ଏକକାଳୀନ ଚଢଉ କରାଯାଇଥିଲା। ନୂଆପଲ୍ଲୀରେ ଥିବା ଦୁଇ ମହଲା ଘର, ବାଲିଅନ୍ତାରେ ଥିବା ଆପାର୍ଟମେଣ୍ଟ, ଅଫିସର ଚାମ୍ବର, ବ୍ରହ୍ମପୁର ଅଯୋଧ୍ୟାନଗରରେ ଥିବା ସମ୍ପର୍କୀୟଙ୍କ ଘର, ନହରକଣ୍ଟାରେ ଥିବା ପୁଅର ଅଫିସ ଓ ବାଲିଅନ୍ତା କୁରୁଣ୍ଟିରେ ଥିବା ସହଯୋଗୀଙ୍କ ଘରେ ଚଢଉ କରାଯାଇଥିଲା। ଚଢଉ ବେଳେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ୬ କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ସମ୍ପତ୍ତି ଠାବ କରିଥିଲା।