ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦିବଙ୍ଗତ ନେତା ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଛି । ଘଟଣାର ୧୧୮ ଦିନ ପରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶ ରଖି ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟର ଉଲ୍ଲେଖ କରାଯାଇଛି । ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ନେଇ ଗୋପାଳ ଭାବୁଥିଲା । ତେଣୁ ତା’ ଜୀବନ ପ୍ରତି ବିପଦ ଥିବା ନେଇ ଗୋପାଳ ମନରେ ଧାରଣା ସୃଷ୍ଟି ହୋଇଥିଲା । ସେଥିପାଇଁ ନବଙ୍କୁ ହତ୍ୟା କରିବାକୁ ଗୋପାଳ ମନସ୍ଥ କରିଥିଲା । ହତ୍ୟା ପାଇଁ ଯୋଜନା କରିଥିଲା ଏବଂ ତାକୁ ବାସ୍ତବରେ ପରିଣତ କରିଥିଲା ।
କ୍ରାଇମବ୍ରାଞ୍ଚ ଅନୁସାରେ ଗୋପଳ ପାଗଳ ନୁହେଁ । ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମାନସିକତା ସହ ହତ୍ୟା ଘଟାଇଥିଲା । ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ପରିବାର ଲୋକେ କହିଥିଲେ । ବାଇପୋଲର ଡିଜଅର୍ଡର ନେଇ ସେ ଔଷଧ ଖାଉଥିବା କହିଥିଲେ। କିନ୍ତୁ ସ୍ଥାନୀୟ ଲୋକ ଓ ସହକର୍ମୀ ଗୋପାଳ ସୁସ୍ଥ ଥିବା କଥା କହିଥିଲେ । ଏନେଇ ପରୀକ୍ଷା ପାଇଁ ଡିଏମଇଟିଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠିତ ହୋଇଥିଲା । ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳଠାରେ କୌଣସି ମାନସିକ ଲକ୍ଷଣ ନଥିବା କହିଥିଲା। ତଦନ୍ତ କାଳରେ ସେ ସହଯୋଗ କରୁଥିଲା ଏବଂ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲା । ଗୋପାଳର ମାନସିକ ସ୍ଥିତି ସୁସ୍ଥ ଓ ସ୍ୱାଭାବିକ ଥିଲା ।