ଦେଶରେ ବଢୁଛି ନାରୀ ନିର୍ଯାତନା: ପ୍ରତି ୧୬ ମିନିଟରେ ଜଣେ ମହିଳା ଦୁଷ୍କର୍ମର ଶିକାର, ଓଡ଼ିଶା ସ୍ଥାନ ୪ର୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅପରାଧ ନିୟନ୍ତ୍ରଣ ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ତଦନ୍ତକାରୀ ସଂସ୍ଥା ବା ପୁଲିସକୁ ଅଧିକ କ୍ରିୟାଶୀଳ କରିବା ସହ ଅତ୍ୟାଧୂନିକ ଜ୍ଞାନକୌଶଳ ତାଲିମ ଓ ସରଞ୍ଜାମ ଯୋଗାଉଛନ୍ତି। ହେଲେ ରାଜ୍ୟରେ ଅପରାଧ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ବିଗତ ବର୍ଷ ତଳନାରେ ୨୦୧୭ରେ ଓଡ଼ିଶାରେ ଅପରାଧର ମାତ୍ରା ପୁଣି ବଢିଛି। ଯାହା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି।

ସଦ୍ୟତମ ଏନସିଆରବି ଅର୍ଥାତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ୨୦୧୭ ରିପୋର୍ଟ ଅନୁସାରେ, ରାଜ୍ୟରେ ୨୦୧୭ରେ ମୋଟ ୧ଲକ୍ଷ ୩ହଜାର ୮୬୬ଟି ଅପରାଧିକ ମାମଲା ରୁଜୁ କରାଯାଇଛି। ୨୦୧୬ରେ ଏହାର ସଂଖ୍ୟା ୧ଲକ୍ଷ ୩ହଜାର ୫୬୫ ଥିବା ବେଳେ ୨୦୧୫ରେ ୧ଲକ୍ଷ ୩ହଜାର ୨୦୮ଟି ମାମଲା ରୁଜୁ କରାଯାଇଥିଲା। ୨୦୧୫-୧୬ ତୁଳନାରେ ୨୦୧୭ରେ ଅପରାଧିକ ମାମଲା ୨.୧ ପ୍ରତିଶତ ବଢିଛି।

୨୦୧୭ରେ ମୋଟ ୧ଲକ୍ଷ ୩ହଜାର ୮୬୬ଟି ଅପରାଧିକ ମାମଲା ମଧ୍ୟରୁ ନାବାଳକ ଓ ନାବାଳିକା କ୍ଷେତ୍ରରେ ୨୦ ହଜାର ୨୮୩ଟି ମାମଲା ରୁଜୁ କରାଯାଇଥିଲା। ସେହିପରି ୨୦୧୬ରେ ୨୨ହଜାର ୧୦୫ ଓ ୨୦୧୫ରେ ୧୯ହଜାର ୮୪୮ଟି ମାମଲା ରୁଜୁ କରାଯାଇଥିଲା। ୨୦୧୭ରେ ଆଇପିସି ଧାରାରେ ୮୩ ହଜାର ୫୮୩ଟି ମାମଲା ରୁଜୁ କରାଯାଇଥିଲା। ୨୦୧୬ରେ ୮୧ ହଜାର ୪୬୦ ଓ ୨୦୧୫ରେ ୬୩ ହଜାର ୩୬୦ଟି ମାମଲା ରୁଜୁ କରାଯାଇଥିଲା। ୨୦୧୬ ତୁଳନାରେ ୨୦୧୭ରେ ୨.୭ ପ୍ରତିଶତ ଅପରାଧ ବଢିଛି।

ଏପରିକି ନାରୀ ନିର୍ଯାତନା ଦେଶରେ ସବୁଠାରୁ ଉଗ୍ର ରୂପ ନେଇଛି। ରିପୋର୍ଟ ଅନିୁସାରେ ପ୍ରତି ଅଢ଼େଇ ଦିନରେ ଜଣେ ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଉଛି। ଦେଶରେ ପ୍ରତି ୧୬ ମିନିଟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ପ୍ରତି ୩୬ ଘଣ୍ଟାରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହେଉଛି। ଏହାଛଡା ଯୌତୁକ ଜନିତ ନିର୍ଯାତନାରେ ପ୍ରତି ଘଣ୍ଟାରେ ଜଣେ ମହିଳାଙ୍କ ମୃତ୍ୟୁ ହେଉଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ରିପୋର୍ଟ ଅନୁସାରେ, ନାରୀ ନିର୍ଯାତନା ଓ ଦୁଷ୍କର୍ମ ମାମଲା ସବୁଠୁ ଅଧିକ ରହିଛି। ୨୦୧୭ରେ ଓଡ଼ିଶାରେ ୨୦ହଜାର ୯୮ ଜଣ ମହିଳା ନିର୍ଯାତନାର ଶିକାର ହୋଇଥିଲେ। ଯାହା ୨୦୧୬ ମହିଳା ତୁଳନାରେ ଢେର ଅଧିକ। ନିର୍ଯାତନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ସପ୍ତମ ସ୍ଥାନରେ ରହିଛି। ସେହିପରି ୨୦୧୭ରେ ଓଡ଼ିଶାରେ ୨୦୮୨ ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଥିଲେ। ଏଥିପାଇଁ ମୋଟ୍ ୨୦୭୦ଟି ମାମଲା ରୁଜୁ କରାଯାଇଥିଲା। ସେଥିମଧ୍ୟରୁ ନାବାଳିକା ୧୨୯୭ ଥିବା ବେଳେ ମହିଳା/ଯୁବତୀ ୭୮୫ଜଣ ଦୁଷ୍କର୍ମର ଶୀକାର ହୋଇଥିଲେ।

୨୦୧୭ରେ ଦୁଇ ଜଣ ୬ ବର୍ଷରୁ କମ୍ ବୟସ୍କ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେହିପରି ୬ରୁ ୧୨ ବର୍ଷ ମଧ୍ୟରେ ୧୫ ଜଣ, ୧୨ରୁ ୧୬ ବର୍ଷ ମଧ୍ୟରେ ୨୫୪ ଜଣ, ୧୬ରୁ ୧୮ ବର୍ଷ ମଧ୍ୟରେ ୧୦୨୬, ୧୮ରୁ ୩୦ ବର୍ଷ ମଧ୍ୟରେ ୭୩୭ ଜଣ, ୩୦ରୁ ୪୫ ବର୍ଷ ମଧ୍ୟରେ ୪୮ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୧୬ରେ ୧୯୮୩ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୯୮୪ ଜଣ ଦୁଷ୍କର୍ମର ଶିକାର ହୋଇଥିଲେ।

ଦୁଷ୍କର୍ମ ମାମଲାରେ ସାରା ଦେଶରେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ (ଏମ୍ପି), ଦ୍ୱିତୀୟରେ ଉତ୍ତରପ୍ରଦେଶ (ୟୁପି), ତୃତୀୟରେ ରାଜସ୍ଥାନ ରହିଛି। ମଧ୍ୟପ୍ରଦେଶରେ ୨୦୧୭ରେ ମୋଟ ୫୫୯୯ ଜଣ ଦୁଷ୍କର୍ମର ଶିକାର ହୋଇଥିଲେ। ଉତ୍ତରପ୍ରଦେଶରେ ୪୬୬୯ ଜଣ ଓ ରାଜସ୍ଥାନରେ ୩୩୧୯ଜଣ ଦୁଷ୍କର୍ମର ଶିକାର ହୋଇଥିଲେ। ସେହିପରି ପଶ୍ଚିମବଙ୍ଗରେ ୨୦୧୭ରେ ୧୦୮୪ଟି ଦୁଷ୍ମର୍ମ ମାମଲା ରୁଜୁ ହୋଇଥବାବେଳେ ଆନ୍ଧ୍ରପ୍ରଦେଶରେ ୯୮୮ଟି, ଝାଡଖଣ୍ଡରେ ୯୧୪ ଓ ଛତିଶଗଡ଼ରେ ୧୯୦୮ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସାରା ଦେଶରେ ମୋଟ୍ ୩୨୫୫୯ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୨୦୧୬ ମସିହାରେ ଦେଶରେ ୩୮୯୪୭ ଟି ମାମଲା ରୁଜୁ ହୋଇଥିଲା।

ସେହିପରି ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସପ୍ତମରେ ରହିଥିବା ବେଳେ ଉତ୍ତରପ୍ରଦେଶ ପ୍ରଥମସ୍ଥାନରେ ରହିଛି। ୨୦୧୭ରେ ଉତ୍ତରପ୍ରଦେଶରେ ୫୬୦୧୧ଜଣ ମହିଳା ନିର୍ଯାତନାର ଶିକାର ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଛି। ସେଠାରେ ୩୧୯୭୯ଜଣ ମହିଳା ନର୍ଯାତନା ଶିକାର ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରେ ୩୦୮୮୨ ଜଣ ମହିଳା ନିର୍ଯାତନାର ଶୀକାର ହୋଇଥିବା ବେଳେ ଏହା ତୃତୀୟ ସ୍ଥାନରେ ରହିଛି। ସେହିପରି ମଧ୍ୟପ୍ରଦେଶ ୫ମ ସ୍ଥାନରେ ରହିଥିବା ବେଳେ ଆସାମ ଷଷ୍ଠ ସ୍ଥାନରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।