‘୫ ଲକ୍ଷ ଦିଅ ୫୦କୋଟି ନିଅ’: ଧରିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟୁନେଟ୍ ସ୍କିମ୍ ନାଁରେ ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସଂସ୍ଥାର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜଧାନୀ ବ୍ରହ୍ମେଶ୍ୱରପାଟଣାର ଶରତ କୁମାର ପରିଡ଼ା, ଚନ୍ଦ୍ରଶେଖରପୁରର ଦେବବ୍ରତ ହରିଚନ୍ଦନ ଏବଂ ଜଗନ୍ନାଥ ବିହାରର ଚନ୍ଦନ କୁମାର ମହାଳିକ। କ୍ରାଇମବ୍ରାଞ୍ଚ୍ ଏମାନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲାପଟପ୍, ସଂସ୍ଥା ସମ୍ପୃକ୍ତ କାଗପତ୍ର, ନିବେଶକମାନଙ୍କ ତାଲିକା ଏବଂ ବିଭିନ୍ନ ବିଦ୍ୟୁତ୍ ସରଞ୍ଜାମ ଜବତ କରିଛି।

ସୂଚନା ଅନୁଯାୟୀ, ମଲ୍ଟି-ଲେବେଲ ନେଟୱାର୍କିଂ ମାର୍କେଟ ନାମକ ଏହି କ୍ୟୁନେଟ୍ ବ୍ୟବସାୟ ସଂସ୍ଥାର ମୁଖ୍ୟାଳୟ ହଂକଂ ଦେଶର ଉନଟଙ୍ଗ ଜିଲ୍ଲାରେ ରହିଛି। ବିଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହି କମ୍ପାନୀ ତା’ର ମାୟାଜାଲରେ ଅନେକ ଲୋକଙ୍କୁ ଫସାଇ ସାରିଥିଲା। ହେଲେ ଓଡ଼ିଶା ଅଳ୍ପ କିଛି ମାସ ହେବ ଆସିଛି। ଶିକ୍ଷିତ ଏବଂ ବଡ଼ବଡ଼ିଆଙ୍କୁ ଏହି କମ୍ପାନୀ ତା’ର ମାୟା ଜାଲରେ ପକାଇଥାଏ।

ବଡ଼ବଡ଼ିଆ ଲୋକଙ୍କୁ ଚିହ୍ନଟ କରିସାରି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥାଏ। ଯେମିତିକି କ୍ୟୁନେଟ୍ ରେ ୫ଲକ୍ଷ ଟଙ୍କା ଇନଭେଷ୍ଟ କଲେ ଏହି ଟଙ୍କା ୫ବର୍ଷ ପରେ ୫୦କୋଟିରେ ପରିଣତ ହେବ। ଏହାସହ ନିବେଶକମାନଙ୍କୁ ମାଗଣାରେ ବିଦେଶ ଯାତ୍ରାର ଲୋଭ ଦେଖାଇଥାଏ। କ୍ୟୁନେଟ୍ ସଂସ୍ଥାର ଏପରି ଲୋଭନୀୟ ପ୍ରତିଶ୍ରୁତି ଶୁଣି ଓଡ଼ିଶାର ଅଧିକାଂଶ ଲୋକମାନେ ତା’ର ଜାଲରେ ପଡ଼ିଯାଇଛନ୍ତି। ଲୋକମାନଙ୍କ ଠାରୁ ଏହି ସଂସ୍ଥା ପାଖାପାଖି ୫ହଜାର କୋଟିରୁ ଅଧିକ ଠକେଇ କରିଥିବା ଅଭିଯୋଗ ହୋଇଛି।