ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୯ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଛି। ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍ରେ ଗୁରୁବାର ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ସମସ୍ତ ୱିକେଟ୍ ହରାଇ ୯୭ ରନ୍ କରିଥିଲା। ଜବାବରେ ମୁମ୍ବାଇ ୧୪.୫ ଓଭରରେ ୫ଟି ୱିକେଟ ହରାଇ ୧୦୩ ରନ୍ କରିଥିଲା।
ଉଭୟ ଚେନ୍ନାଇ ଓ ମୁମ୍ବାଇର ବୋଲର ଗୁରୁବାର ମ୍ୟାଚରେ ଦମ୍ଭ ଦେଖାଇଥିଲେ। ଚେନ୍ନାଇ ପକ୍ଷରୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସର୍ବାଧିକ ୩୬ (ଅପରାଜିତ) ରନ୍ କରିଥିଲେ। ଡ୍ୱେନ୍ ବ୍ରାଭୋ ୧୨ ରନ୍, ଅମ୍ବାତି ରାୟଡୁ ଓ ଶିଭମ୍ ଦୁବେ ୧୦-୧୦ ରନ୍ କରିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ରିଲେ ମେରେଡିଥ ଓ କୁମାର କାର୍ତ୍ତିକେୟଙ୍କୁ ୨-୨ ୱିକେଟ୍ ମିଳିଥିଲା ବେଳେ ଜସପ୍ରୀତ ବୁମରା ଓ ରମନଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ମୁମ୍ବାଇ ପାଇଁ ତିଲକ ବର୍ମା ଅପରାଜିତ ୩୪ ରନ୍, ଅଧିନାୟକ ରୋହିତ ଶର୍ମା ଓ ହ୍ରିତିକ ସୌକୀନ ୧୮-୧୮, ଟିମ୍ ଡାଭିଡ ଅପରାଜିତ ୧୬ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ସର୍ବାଧିକ ୩ଟି ୱିକେଟ ନେଇଥିଲା ବେଳେ ସିମରଜୀତ ସିଂହ ଓ ମୋଇନ୍ ଅଲୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। ତେବେ ଚଳିତ ଆଇପିଏଲ୍ରେ ଚେନ୍ନାଇ ପ୍ଲେଅଫ ଦୌଡରୁ ବାହାରିବା ଆଶଙ୍କା ରହିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳିଥିବା ବେଳେ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ହାସଲ କରିଛି। ଚେନ୍ନାଇ ପରବର୍ତ୍ତୀ ୩ଟି ମ୍ୟାଚରେ ବାଙ୍ଗାଲୋର, ଦିଲ୍ଲୀ ଓ ହାଇଦ୍ରାବାଦ୍କୁ ଭେଟିବ।