ଅନଲାଇନରେ ବିକ୍ରି ହେଉଛି ଲୋକଙ୍କ ଗୋପନୀୟ ତଥ୍ୟ

୧୩ ଲକ୍ଷ ଭାରତୀୟଙ୍କ କ୍ରେଡିଟ୍-ଡେବିଟ୍ କାର୍ଡ ତଥ୍ୟ ଲିକ୍

ନୂଆଦିଲ୍ଲୀ, ଏଜେନ୍ସି: କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ଜରୁରୀ ଖବର। ୧୩ ଲକ୍ଷରୁ ଊଦ୍ଧ୍ୱର୍ ଭାରତୀୟ ବ୍ୟାଙ୍କ ଗ୍ରାହକଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡାଟା ଚୋରି ହୋଇଛି ଏବଂ ହ୍ୟାକରମାନେ ଉକ୍ତ କାର୍ଡଗୁଡ଼ିକର ସମସ୍ତ ତଥ୍ୟକୁ ଅନଲାଇନରେ ବିକ୍ରି କରୁଛନ୍ତି ବୋଲି ସିଙ୍ଗାପୁରର ପ୍ରମୁଖ ସାଇବର ସୁରକ୍ଷା କମ୍ପାନୀ ସମୂହ ଆଇବି ତରଫରୁ ଦାବି କରାଯାଇଛି। ହ୍ୟାକରମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା କାର୍ଡଗୁଡ଼ିକ ମଧ୍ୟରେ ୯୫% କାର୍ଡ ଭାରତୀୟ ବ୍ୟାଙ୍କଗୁଡ଼ିକର ବୋଲି ଏହି କମ୍ପାନୀ ଦାବି କରିଛି। ଏକ ନିର୍ଦ୍ଦିଷ୍ଟ ରିପୋର୍ଟ ମୁତାବକ, ଏହି କାର୍ଡଗୁଡ଼ିକର ଗୋପନୀୟ ତଥ୍ୟକୁ ଡାର୍କୱେବ୍ ବଜାରର ‘ଜୋକର୍ ଷ୍ଟାସ୍’ ନାମକ ଏକ ପୁରୁଣା କାର୍ଡ ଦୋକାନରେ ବିକ୍ରି କରାଯାଉଛି।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଏଥିରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍-୨ ଡାଟା ମଧ୍ୟ ଚୋରି ହୋଇଛି, ଯେଉଁ ଡାଟାଗୁଡ଼ିକ କାର୍ଡର ପଛପଟେ ଥିବା ମ୍ୟାଗ୍ନେଟିକ୍ ଷ୍ଟ୍ରିପରେ ରହିଥାଏ। ଏହି ମ୍ୟାଗ୍ନେଟିକ୍ ଷ୍ଟ୍ରିପରେ ଗ୍ରାହକଙ୍କ ପ୍ରୋଫାଇଲ୍ ଏବଂ ନେଣଦେଣ ସମ୍ବନ୍ଧିତ ସମସ୍ତ ସୂଚନା ରହିଥାଏ। ଟ୍ରାକ୍-୧ ଡାଟାରେ କେବଳ କାର୍ଡ ନମ୍ବର ରହିଥାଏ, ଯାହା ସାମାନ୍ୟ ବୋଲି ଉଲ୍ଲେଖ କରାଯାଇଛି। ପ୍ରତି କାର୍ଡର ଡାଟାକୁ ୧୦୦ ଡଲାର (ପ୍ରାୟ ୭ ହଜାର ଟଙ୍କା)ରେ ବିକ୍ରି କରାଯାଉଛି। ଡାଟାଗୁଡ଼ିକୁ ହ୍ୟାକିଙ୍ଗ୍ ବ୍ୟତୀତ ଏଟିଏମ୍ କିମ୍ବା ପିଓଏସରେ ସ୍କିମିଙ୍ଗରୁ ମଧ୍ୟ ଚୋରି କରାଯାଇଛି। ସ୍କିମିଙ୍ଗ୍ ପ୍ରଣାଳୀ ଦ୍ୱାରା ନକଲି କାର୍ଡଧାରକଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଏ। ଏହି ପ୍ରଣାଳୀ ଅନ୍ତର୍ଗତ ଏଟିଏମ୍ କିମ୍ବା ପିଓଏସ୍ ମେସିନରେ ଏକ ଛୋଟ ଡିଭାଇସ୍ ଲଗାଯାଇଥାଏ, ଯାହାଦ୍ୱାରା ବେଶ୍ ସହଜରେ କାର୍ଡଟି ନକଲି କି ଅସଲି ଜଣାପଡ଼େ।

ପ୍ରକାଶଯୋଗ୍ୟ, ୨୦୧୬ରେ ମଧ୍ୟ ଏଭଳି ଏକ ଡାଟା ଚୋରି ଘଟଣା ସାମନାକୁ ଆସିଥିଲା। ସେହି ସମୟରେ ପ୍ରାୟ ୩୨ ଲକ୍ଷ ଡେବିଟ୍ କାର୍ଡର ସମସ୍ତ ତଥ୍ୟ ଚୋରି ହୋଇଥିଲା। ଏଥିରେ ୟେସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ ସମେତ ଅନେକ ବ୍ୟାଙ୍କର କାର୍ଡ ସାମିଲ ଥିଲା। ଏହାପରେ ବ୍ୟାଙ୍କଗୁଡ଼ିକ ନିଜନିଜ ଗ୍ରାହକମାନଙ୍କ ନୂତନ କାର୍ଡ ଜାରି କରିଥିଲେ। ଡାଟା ଚୋରିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦୁଇବର୍ଷ ପୂର୍ବେ ବ୍ୟାଙ୍କଗୁଡ଼ିକୁ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ପରିବର୍ତ୍ତେ ଇଏମଭି ଚିପ୍ କାର୍ଡର ପ୍ରଚଳନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲା। ଏହା କେବଳ ଭାରତୀୟ ବ୍ୟାଙ୍କଗୁଡ଼ିକ ସହିତ ହେଉନାହିଁ, ବରଂ ଚଳିତବର୍ଷ ଫେବୃଆରୀରେ ପ୍ରାୟ ୨୦ ଲକ୍ଷ ଆମେରିକୀୟ କାର୍ଡର ମଧ୍ୟ ଡାଟା ଚୋରି ହୋଇଥିବା ଖବର ସାମନାକୁ ଆସିଥିଲା।