୧୬ଦଫା ଦାବି ନେଇ ସିପିଆଇ(ଏମଏଲ)ର ବିକ୍ଷୋଭ

‘ଦାବି ପୂରଣ ନହେଲେ ଜିଲ୍ଲା ଅଚଳ ହେବ'

ରାୟଗଡା,ଏନ୍ଏନ୍ଏସ୍: ୧୬ ଦଫା ଦାବି ନେଇ ଗୁରୁବାର ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ(ଏମଏଲ) ଲିବରେସନ ପାର୍ଟି। ଏଥିରେ ଆଦିବାସୀ ଅଧୀକାର ବିକାଶ ମଞ୍ଚ, ଦଳିତ ଅଧୀକାର ବିକାଶ ମଞ୍ଚ ସାମିଲ ହୋଇଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏହି ୧୬ଦଫା ଦାବି ପ୍ରଦାନ କରାଯାଇଛି। ସିପିଆଇ(ଏମଏଲ)ର କେନ୍ଦ୍ରୀୟ କମିଟି ସଦସ୍ୟ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶହ ଶହ ଦଳୀୟ କର୍ମୀ ଓ ସମର୍ଥକ ରାୟଗଡ଼ା ରେଳ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମୁଖ୍ୟତ ଗୁଣୁପୁର ଠାରେ ମେଡ଼ିକାଲ କଲେଜ, ଗ୍ରାମୀଣ କ୍ଷେତ୍ର ମୂଲିଆଙ୍କ ମଜୁରୀ ବୃଦ୍ଧି, ଧାନର ସହାୟକ ମୂଲ୍ୟ ବୃଦ୍ଧି ଓ ପାଣି ଡଙ୍ଗର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଜିଲ୍ଲାରେ ଗଢ଼ି ଉଠିଥିବା କମ୍ପାନୀ ଗୁଡ଼ିକରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଭଳିି ୧୬ଟି ଦାବି ଉପସ୍ଥାପନ କରିଛନ୍ତି। ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ସ୍ୱଧୀନତାର ୭୨ବର୍ଷ ପରେ ଏଠାରେ ଲୋକଙ୍କର ବିକାଶ ହୋଇପାରିନାହିଁ ।

ଜଙ୍ଗଲ ଜମି ଓ ସରକାରୀ ଜମି, ଆଦିବାସୀ ଲୋକଙ୍କ ଦଖଲରେ ରହିଥିଲେ ସୁଦ୍ଧା ସେମାନଙ୍କର ନାମରେ ପଟ୍ଟା ହୋଇପାରୁ ନାହିଁ। ତେବେ ଏହା ସବୁ ଜଣି ପ୍ରଶାସନ ଚୁପ୍ ରହିଛି, ଗ୍ରାମୀଣ କୃଷିକ୍ଷେତ ମୂଲିଆଙ୍କୁ କେନ୍ଦ୍ରୀୟ ଥଇଥାନ ଆଇନ ପ୍ରଣୟନ କରିବା ସହ ସେମାନଙ୍କ ବ୍ୟଙ୍କ ଖାତାକୁ ୨ଲକ୍ଷ ଟଙ୍କା, ଏନଆରଇଜି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଲୋକଙ୍କୁ ୨ଶହ ଦିନ ଲେଖାଏଁ କର୍ମ ନିଯୁକ୍ତି ଓ ୫୦୦ଟଙ୍କା ପ୍ରତି ମାସ ମଜୁରୀ ପ୍ରଦାନ, ସୌର ଭାଷା ଲିପିକୁ ସାମ୍ବିଧାନିକ ଅଧିକାର, ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ମେଡିକାଲ କଲେଜ ପ୍ରତିଷ୍ଠା, ଜଙ୍ଗଲ ଓ ସରକାରୀ ଅଧିକୃତ ଜମିକୁ ଆଦିବାସୀ ଲୋକଙ୍କୁ ହସ୍ତାନ୍ତରଣ, ଗୁଡାରୀ ବ୍ଲକ୍ରେ ପାଣିଡଙ୍ଗର ପ୍ରକଳ୍ପ ପ୍ରତିଷ୍ଠା, ଧାନ କୁଇଣ୍ଟାଲ ପ୍ରତି ତିନି ହଜାର ଟଙ୍କାକୁ ବୃଦ୍ଧି କରିବା ସହ କପାର ସହାୟକ ମୂଲ୍ୟ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇ ଚାଷୀଙ୍କୁ ପ୍ରଦାନ କରାଯାଉ। ସେହିଭଳି ପ୍ରମୁଖ ଦାବି ସିପିଆଇ(ଏମଏଲ) ଦଳୀୟ କର୍ମୀ ସ୍ମାରକପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।