ସିପିଆଇର ବିରିଷ୍ଠ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,ଏଜେନ୍ସି: ସିପିଆଇର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ସୂଚନା ଅନୁସାରେ ଦେଶର ଜଣେ ବରିଷ୍ଠ ତଥା ଜଣାଶୁଣା ନେତା ଗୁରୁଦାସ ଦାସଗୁପ୍ତା ୧୯୩୬ ନଭେମ୍ବର ୩ରେ ଜନ୍ମଗ୍ରହଣ କରିଥିଲେ। ସେ ୩ଥର ରାଜ୍ୟସଭା ଓ ୨ଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

୧୯୮୫ରେ ପ୍ରଥମ ଥର ରାଜ୍ୟସଭା ସାଂସଦ ହେବାପରେ ୧୯୮୮ ଏବଂ ୧୯୯୪ରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଥର ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୪ରେ ଗୁରୁଦାସ ଦାସଗୁପ୍ତା ପ୍ରଥମ ପଶ୍ଚିମବଙ୍ଗର ପଂଶୁକୁରା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୯ରେ ଘାଟକୁଲା ଆସନରୁ ଦ୍ୱିତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହି ସମୟରେ ସେ ଲେକସଭାରେ ସିପିଆଇର ସଂସଦୀୟ ଦଳର ନେତା ଥିଲେ । ଶ୍ରୀ ଦାସଗୁପ୍ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।