ଫିରିଙ୍ଗିଆ,ଏନ୍ଏନ୍ଏସ୍: ରାସ୍ତାକଡ଼ରେ ମୁକୁଳା ହୋଇ ପଡ଼ିଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମରର ଆର୍ଥିଙ୍ଗ ତାରରେ ଲାଗି ଏକ ଗାଈର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଫିରିଙ୍ଗିଆ-ଗୋଛାପଡ଼ା ରାସ୍ତାର ନେଡ଼ିପଦାର ଗାଁ ପାଖ ରାସ୍ତାକଡ଼ରେ ଦୀର୍ଘଦିନ ଧରି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ି ରହିଥିଲା ଏବଂ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଆର୍ଥିଙ୍ଗ ତାରରେ ମଧ୍ୟ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା । ଫଳରେ ଚରିବାକୁ ଯାଇଥିବା ଏକ ଗାଈଏହି ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି । ଗାଈଟି ସେହି ନେଡ଼ିପଦର ଗାଁର ସନ୍ତୋଷ ଦିଗାଲଙ୍କର ବୋଲି ଜଣାପଡ଼ିଥିବା ବେଳେ ଘଟଣା ପରେ ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ଦିନ ଧରି ରାସ୍ତାକଡ଼ରେ ଥିବା ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ବାଡ଼ ଦେବାପାଇଁ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗ ପାଖରେ ଦାବୀ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହି ଘଟଣା ପାଇଁ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି । ଅନ୍ୟପଟେ ଏହି ଘଟଣା ବିଷୟରେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା ପରିଦର୍ଶକ ସୁଶାନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ଟ୍ରାନ୍ସଫର୍ମର ପାଖରେ ଥିବା ଆର୍ଥିଙ୍ଗ ତାରଟି ଏକ ରାସ୍ତା କାମ ପାଇଁ ଖାଲ ଭିତରେ ରହିଛି ଓ ସେହି ଖାଲରେ ପାଣି ଜମିଯିବାରୁ ଆର୍ଥିଙ୍ଗ ତାରଟି ଚାର୍ଜ ହୋଇ ରହିଥିଲା । ଫଳରେ ଏଭଳି ଘଟଣା ଘଟିଛି ବୋଲି କହିବା ସହ ଖୁବଶୀଘ୍ର ଏହି ଟ୍ରାନ୍ସଫର୍ମର ଚାରିପଟେ ବାଡ଼ ବୁଲାଯିବ ବୋଲି କହିଛନ୍ତି ।