ଲଣ୍ଡନ,ଏଜେନ୍ସି: ଜଣେ ସ୍ୱେଚ୍ଛାସେବୀଙ୍କ ଠାରେ କୌଣସି କାରଣରୁ ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇବାରୁ କୋଭିଡ୍-୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ ଏକ ବୈଦେଶିକ ‘ଷ୍ଟାଟ୍ ନିଉଜ୍’ ରିପୋର୍ଟରେ ପ୍ରକାଶ ପାଇଛି।
ତେବେ ଏହି ଟିକାଟି ଆଷ୍ଟ୍ରାଜେନିକା କମ୍ପାନୀର। ଏନେଇ କମ୍ପାନିର ମୁଖପାତ୍ରୀ ମିସେଲ୍ ମୁଇକ୍ସଲ୍ ଏକ ଇମେଲ୍ ବିବୃତିରେ କହିଛନ୍ତି ଯେ, ଆମର ମାନକ ସମୀକ୍ଷା ପ୍ରକ୍ରିୟା ପ୍ରତିକ୍ରିୟାଶୀଳ ହୋଇ ଉଠିବାରୁ ନିରାପତ୍ତା ତଥ୍ୟାବଳୀ ଏକ ସ୍ବାଧୀନ କମିଟି ଦ୍ବାରା ସମୀକ୍ଷା କରାଇବାକୁ ଆମ୍ଭେ ସ୍ୱେଚ୍ଛାକୃତ ଭାବେ ଟିକାକରଣ ସ୍ଥଗିତ ରଖିଛୁ।
ସେହିପରି ସ୍ୱେଚ୍ଛାସେବୀଙ୍କ ଶରୀରରେ ଦେଖା ଦେଇଥିବା ଅସୁସ୍ଥତା ବିଷୟରେ ସବିଶେଷ ବିବରଣୀ ମିଳିନାହିଁ। ‘ଷ୍ଟାଟ୍ ନିଉଜ୍’ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ, ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣ ବନ୍ଦ ରଖିବା ପରେ ଅନ୍ୟ ଟିକା ନିର୍ମାତାମାନେ ମଧ୍ୟ ଏ ଭଳି ଅସୁସ୍ଥତା ଆଶଙ୍କା କରି ସେମାନଙ୍କ ଟିକାର ପରୀକ୍ଷା ସ୍ଥଗିତ ରଖିଛନ୍ତି।