ଦେଶରେ କୋଭିଡ ଟିକା ଏବେ ପରୀକ୍ଷା ପର୍ଯ୍ୟାୟରେ ରହିଛି : ଆଇସିଏମଆର

ନୂଆଦିଲ୍ଲୀ, ଏଜେନ୍ସି: ବର୍ତ୍ତମାନ ଭାରତର ୩ଟି କୋଭିଡ୍-୧୯ ପ୍ରତିଷେଧକ ଟିକା କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। ଏ ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଆଇସିଏମଆର ଡିଜି ବଳରାମ ଭାର୍ଗଭ କହିଛନ୍ତି ଯେ, ଏବେ ୩ଟି କୋଭିଡ୍-୧୯ ପ୍ରତିଷେଧକ ଟିକା ଭାରତରେ କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। କ୍ୟାଡିଲା ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚାଲିଛି। ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି ଏବଂ କ୍ଲିୟରାନ୍ସ ପରେ ଦେଶର ୧୪ଟି ସ୍ଥାନରେ (୧୫୦୦ ରୋଗୀଙ୍କ ଶରୀରରେ) ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ଏହାବାଦ୍ ୪ଟିରୁ ଅଧିକ କୋଭିଡ୍-୧୯ ପ୍ରତିିଷେଧକ ଟିକା ଉନ୍ନତ ପ୍ରି-କ୍ଲିନିକାଲ ବିକାଶ ପର୍ଯ୍ୟାୟରେ ରହିଥିବା ସେ ଏହି ଅବସରରେ ସୂଚନା ଦେଇଛନ୍ତି।