ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶିଶୁମାନଙ୍କ ପାଇଁ ଉପଲବ୍ଧ ହେବ କୋଭିଡ ଟିକା। ଏନେଇ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟର ଗ୍ରୁପ୍ ଏକ୍ସିମ୍ ନିର୍ଦ୍ଦେଶକ ପି ସି ନାମ୍ବିଆର କହିଛନ୍ତି। କୋଚିରେ ଏକ କାର୍ଯ୍ୟକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ଶିଶୁମାନେ କୋଭିଡ ପଜିଟିଭ ବୋଲି ଜଣାପଡ଼ନ୍ତି, ତେବେ ସମ୍ପୃକ୍ତ ଟିକାରୁ ଏକ ବଟିକା ମଧ୍ୟ ବିକଶିତ କରାଯାଇପାରିବ। ସେହିପରି ସେରମ ଇନଷ୍ଟିଚ୍ୟୁଟ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟବହାର ଉପଯୋଗୀ ଆଉ ୪ ପ୍ରକାର କୋଭିଡ ଟିକା ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି। ନୋଭାଭାକ୍ସ ଟିକାର ନୈଦାନିକ ପରୀକ୍ଷଣ ଦ୍ରୁତ ବେଗରେ ଚାଲିଛି ଏବଂ ତାହା ଆଗାମୀ ଜୁନ ସୁଦ୍ଧା ବ୍ୟବହାରଯୋଗ୍ୟ ହୋଇପାରିବ।
ସେହିପରି ଶିଶୁମାନଙ୍କ ପାଇଁ ଉପଯୁକ୍ତ ଟିକା ଅକ୍ଟୋବର ବେଳକୁ ମିଳିପାରିବ ଏବଂ କୋଡ଼ାଜେନିକ୍ସ କମ୍ପାନୀ ସହଭାଗିତାରେ ଚାଲିଥିବା କୋଭି-ଭାକ୍ସ ଟିକାର ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହେବା ଉପରେ ବୋଲି ସେ କହିଛନ୍ତି। ଅପରପକ୍ଷେ, କୋଭିସିଲ୍ଡ ଟିକା ମାସକୁ ସମ୍ପ୍ରତି ୧୦ କୋଟି ମାତ୍ରା ପ୍ରସ୍ତୁତ ହେଉଥିବା ବେଳେ ଭାରତ ସରକାରଙ୍କ ଆବଶ୍ୟକତା ଦୃଷ୍ଟିରୁ ଆସନ୍ତା ଏପ୍ରିଲରୁ ମାସକୁ ଉକ୍ତ ଟିକାର ୨୦ କୋଟି ମାତ୍ରା ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହି ଟିକାର ଖୋଲାବଜାର ବିକ୍ରି ସରକାରଙ୍କ ଉପରେ ନିର୍ଭର କରେ ଏବଂ ତାଙ୍କ କମ୍ପାନୀ ଟିକାର କଳାବଜାର ରୋକିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ନାମ୍ବିଆର କହିଛନ୍ତି।
ତେବେ ନାମ୍ବିଆର ଆଉ ମଧ୍ୟ କହିଛନ୍ତି ଯେ, “ଟିକା ନେବାର ପ୍ରଥମ ଡୋଜର ୨୯ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ଏବଂ ଏହାର ୨୧ ଦିନ ପରେ ଆଣ୍ଟିବଡି ଉତ୍ପାଦନ ସମ୍ପୂର୍ଣ୍ଣ ହେବ। କିନ୍ତୁ ଏହା ପରେ ମଧ୍ୟ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାନିଟାଇଜର ବ୍ୟବହାର କରିବାକୁ ପଡିବ ବୋଲି ସେ କହିଛନ୍ତି।