- କଟକ: ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପୁଲିସ ଡିଜିପିଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ସମୀକ୍ଷାରେ କୋଭିଡ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ କଟକଣା କୋହଳ ସତ୍ତେ୍ୱ ପୁଲିସ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଉଥିବା କୁହାଯାଉଛି।
- ମିଳିଥିବା ସୂଚନାନୁସାରେ, ପୁଲିସ ପକ୍ଷରୁ ଗତ ୭ଦିନ ମଧ୍ୟରେ ପ୍ରାୟ ଦେଢ କୋଟି ଟଙ୍କା ଜୋରିମାନା ଆକାରରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଇଛି। ତେବେ ଗତ ଦ୍ୱିତୀୟ ଲହରର ଏପ୍ରିଲ ଓ ମେ’ ମାସରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ କ୍ଷେତ୍ରରେ ପ୍ରାୟ ୧୫କୋଟି ଟଙ୍କା ଜୋରିମାନା ଆଦାୟ କରିଥିଲା। ବର୍ତ୍ତମାନ କୋଭିଡ ଏନଫୋର୍ସମେଣ୍ଟ ଜାରି ରହିଥିବାବେଳେ ଗତ ୭ ଦିନ ଭିତରେ ପ୍ରାୟ ୫ ହଜାରରୁ ଅଧିକ ଗାଡ଼ି ପୁଲିସ ଜବତ କରିଛି। ସେହିପରି ୧୩୩ ଜଣଙ୍କୁ ଗିରଫ କରିଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଗତ ୨୭ ତାରିଖରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ ପାଇଁ ୨ଟି ମାମଲା ରୁଜୁ କରିଥିବାବେଳେ ୭୫୦ରୁ ଅଧିକ ଗାଡି ଜବତ କରିଛି। ସେହିପରି ନିୟମ ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆକାରରେ ୧୯ଲକ୍ଷ ୬୭ହଜାରରୁ ଅଧିକ ଟଙ୍କା ଆଦାୟ କରାଯାଇଛି। ଆଗକୁ ତୃତୀୟ ଲହର ଆଶଙ୍କା ଏବଂ ପାର୍ବଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ପୂର୍ବକ ସତର୍କତା ଅଭିଯାନ ଜାରି ରହିଥିବା କୁହାଯାଉଛି।