ବରଗଡ,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଳାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜନୈକ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କା ଫାଇନ କରାଯିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକର ଗୌରେନମୁଣ୍ଡା ପଞ୍ଚାୟତର ସରପଞ୍ଚ ମାଲବ ସାହୁ ଗାଁର ପ୍ରାୟ ୧୫୦ ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ବ୍ଲକ ଅଫିସକୁ ଆସି ଘେରାଉ କରିଥିଲେ। ବର୍ତ୍ତମାନ କୋଭିଡ ନିୟମ ଅନୁସାରେ ଯେ କୌଣସି କାର୍ଯ୍ୟକ୍ରମ ପାଇଁ ୧୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶ ରହିଛି।
ସରପଞ୍ଚ ସାହୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଘେରାଉ କରିବା ନେଇ ଗାଇସିଲେଟ ବିଡିଓ ନିରଞ୍ଜନ ସା ପହଞ୍ଚି ସିସିଟିଭିର ଫୁଟେଜ ଦେଖିବା ସହ ଅଫିସ ଅଧିକାରୀ ଓ କର୍ମଚାରୀମାନଙ୍କ ବୟାନକୁ ଆଧାର କରି ଓଡ଼ିଶା କୋଭିଡ଼-୧୯ ରେଗୁଲେସନ ଆଇନର ୪ସି ଅଧ୍ୟାଦେଶକୁ ଭଙ୍ଗ କରିଥିବା ଅଭିଯୋଗରେ ଗୌରେନମୁଣ୍ଡା ସରପଞ୍ଚ ମାଳବ ସାହୁଙ୍କୁ ଆସନ୍ତା ୩ ଦିନ ଭିତରେ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନୋଟିସ କରିଥିଲେ। ଏହାର ଅବମାନନାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରହିଥିବା ନିର୍ଦେଶାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଶ୍ରୀ ସାହୁଙ୍କୁ ଚେତାବନୀ ଦେଇ ଏହାର ଏକକିତା ଲେଖାଏଁ ନକଲ ବରଗଡ଼ ପିଡ଼ି ଡ଼ିିଆରଡ଼ିଏ ଓ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଗାଇସିଲାଟ ବିଡ଼ିଓ ନିରଞ୍ଜନ ସାଙ୍କ ପତ୍ରସଂଖ୍ୟା ୩୧୪୭/୨୯.୦୯.୨୦୨୦ରୁ ସ୍ପଷ୍ଟ ଜଣାପଡ଼ିଛି।
ଏନେଇ ବିଡ଼ିଓ ଶ୍ରୀ ସା’ଙ୍କୁ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ନଥିଲା। ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପଚରାଯିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଥିଲେ।