କୋଭିଡ ନିୟମ ପାଳନ ଓ ବନ୍ୟଜନ୍ତୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ୍ ଅନ୍ତର୍ଗତ ନିଲିଗୁଡ଼ା ପଞ୍ଚାୟତର ପୁରୁଣା ନିଲିଗୁଡ଼ା ଗ୍ରାମରେ ବନବିଭାଗ ଏବଂ ଉତ୍କଳ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ କୋଭିଡ-୧୯, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସରପଞ୍ଚ ବୁଦୁରା କାର୍ତାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଡିଆ ବନପାଳ ଗୁପ୍ତେଶ୍ୱର ରାଓ ଦୋରା, ଦୁର୍ମାଗୁଡା ବନ ସଂରକ୍ଷଣ ସମିତିର ସଭାପତି ପଦ୍ମଚରଣ ମାଡକାମି, ଗ୍ରାମ ମୁଖିଆ ସିଙ୍ଗା କାମରାମି, ବନରକ୍ଷୀ ପପିତା ଆଜମିରା, ଉତ୍କଳ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ସମ୍ପାଦକ ସତ୍ୟନାରାୟଣ ଦାସଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ପୁରୁଷ ଏବଂ ମହିଳା ଅଂଶଗ୍ରହଣ କରିଥିଲେ।

ବିଶେଷ କରି କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାର ସମ୍ଭାବନାକୁ ଦୁଷ୍ଟିରେ ରଖି ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିଶୁଠାରୁ ବୃଦ୍ଧା ପର୍ଯ୍ୟନ୍ତ କିପରି ସତର୍କତା ଅବଲମ୍ବନ କରିବେ ଏବଂ କୋଭିଡ୍ ନିୟମକୁ ମାନି ଚଳିବେ, ସେଥି ପାଇଁ ଗ୍ରାମଦେବୀଙ୍କ ପୀଠରେ ସମସ୍ତେ ଶପଥ ନେଇଥିଲେ। ପରେ ନିଜ ଅଞ୍ଚଳର ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷା ସହ ଜଙ୍ଗଲରେ କିପରି ନିଆଁ ନଲାଗିବ, ସେଥିପାଇଁ ଅଞ୍ଚଳବାସୀ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବନପାଳ ଶ୍ରୀ ଦୋରା ଉପସ୍ଥିତ ଜନତାଙ୍କୁ ବୁଝାଇବା ସହ ଜଙ୍ଗଲର ଉପକାରିତା ସମ୍ପର୍କରେ କହିଥିଲେ।