ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ପୁରୁଣା ଜିଲ୍ଲା ସଦର ଡାକ୍ତରଖାନା କୋଠାରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହେଉଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ତେଣୁ ଏଠାରେ ଚିକିତ୍ସା କରିବା ପାଇଁ ଡାକ୍ତର ଏବଂ ନିୟୋଜିତ ହେବାକୁ ଥିବା ଅନ୍ୟ ଷ୍ଟାଫଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛ।
ସୂଚନା ଅନୁଯାୟୀ, ଏହି କୋଭିଡ ଡାକ୍ତରଖାନା ଲାଗି ୨୭ ଜଣ ଡାକ୍ତର, ୧୪ ଜଣ ଷ୍ଟାଫ ନର୍ସ, ୧୪ ଜଣ ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନ ଏବଂ ୮ ଜଣ ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୬୩ ଜଣଙ୍କୁ ତାଲିମ ଦିଆଯାଉଛି। ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ ଲାଗି ହାଇଟେକ ମେଡିକାଲ ପକ୍ଷରୁ ସ୍ୱତନ୍ତ୍ର ଭାବେ ଡାକ୍ତର ଏବଂ କର୍ମଚାରୀ ନିୟୋଜିତ ହେଉଥିବା ବେଳେ ହେଲ୍ଥ ସ୍କ୍ରିନିଂ, ସ୍ୱାବ୍ ସଂଗ୍ରହ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଲାଗି ଡାକ୍ତର ଏବଂ ଅନ୍ୟ ପାରାମେଡିକାଲ ଷ୍ଟାଫଙ୍କୁ ଆଗରୁ ତାଲିମ ଦିଆଯାଇଥିଲା। ଯେଉଁଥିରେ ୧୦୭ଜଣ ଡାକ୍ତର, ୫୭ ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ୧୦୩ ମହିଳା ସ୍ୱାସ୍ଥ୍ୟକର୍ମୀ, ୧୮ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ, ୧୪ ଜଣ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଏବଂ ୬୨୮ ଜଣ ଆଶାକର୍ମୀ ଅନ୍ତର୍ଭୁକ୍ତ। ଜିଲ୍ଲାରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷଣ ଲାଗି ନମୁନା ସଂଗ୍ରହ, ସ୍ୱାସ୍ଥ୍ୟ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି ତାଲିମପ୍ରାପ୍ତ ଡାକ୍ତର ଏବଂ କର୍ମଚାରୀଙ୍କ ଦ୍ୱାରା ସମ୍ପାଦିତ ହେଉଛି।