ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଝାରସୁଗୁଡ଼ା, ଏନ୍ଏନ୍ଏସ୍ : ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଆହୁରି ୨୦ଟି ଭେଣ୍ଟିଲେଟର ବୃଦ୍ଧି କରାଯିବାସହ ବନ୍ଧବାହାଲ ଠାରେ ୧୦୦ ଶଯ୍ୟା ଓ ୨୦ ଟି ଭେଣ୍ଟିଲେଟର ଆସିୟୁ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଝାରସୁଗୁଡ଼ାଠାରେ ଥିବା କୋଭିଡ ହସ୍ପିଟାଲରେ ୨୦ ଟି ଭେଣ୍ଟିଲେଟର ଆସିୟୁ ବେଡ ବୃଦ୍ଧି କରିବା ପାଇଁ ଓ ବନ୍ଦବାହାଲ ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୨୦ ଟି ଭେଣ୍ଟିଲେଟର ଆଇସିୟୁ ବେଡ ସ୍ଥାପନ କରିବା ସହିତ ଓ ଏହାକୁ ଏକ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ପରିଚାଳନା ଦାୟିତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲାପାଳଙ୍କ ଠାରୁ ଆସିଥିବା ଏହି ପ୍ରସ୍ତାବକୁ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ ସାଂସଦ ସୁରେଶ ପୁଝାରୀ ମଧ୍ୟ ସରକାରଙ୍କୁ ଅନୁମୋଦନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଆନୁରୋଧ କରିଥିଲେ। ତେବେ ରାଜ୍ୟ ସରକାର ଝାରସୁଗୁଡାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏହାକୁ ପୂରଣ କରିବା ପାଇଁ ନିଷ୍ପତି ନେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି ଜଣେଇଛନ୍ତି ।

ସେ କାହିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ ୧୯ ଜଣ ପି.ଜି. ଡାକ୍ତର ଓ ଇଣ୍ଟର୍ନ ଡାକ୍ତର ୮ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋଷ୍ଟିଂ ଦିଆଯାଇଛି। ସେଥି ମଧ୍ୟରୁ ୧୨ ଜଣ ପିଜି ଡାକ୍ତର ଓ ୫ ଜଣ ଇଣ୍ଟର୍ନ ଡାକ୍ତ ଆସନ୍ତା କାଲି ଭିତରେ ଯୋଗ ଦେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ବନ୍ଧବାହାଲ ଠାରେ ନୂତନ ହସ୍ପିଟାଲ ପରିଚାଳନା କରିବା ପାଇଁ ସମ୍ କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ପରିଚାଳନା ପାଇଁ ଦେଇଥିବା ସ୍ୱୀକୃତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ମଧ୍ୟ କରିଛନ୍ତି। ଏଣୁ ଝାରସୁଗୁଡ଼ାବାସୀଙ୍କ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।