ଦ୍ୱିତୀୟ ଡୋଜ ଟିକା ପରେ ବି କରୋନା ନେଲା ଯୁବ ଜିଆରଏସଙ୍କ ଜୀବନ

  • ବନ୍ତଳା, ଏନଏନଏସ: ଅନୁଗୁଳ ବ୍ଲକ କୋଠଭୁଇଁ ପଞ୍ଚାୟତରେ ଗ୍ରାମ୍ୟ ରୋଜଗାର ସେବକଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ କରୋନାରେ ଜୀବନ ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ କଦଳୀବେରେଣି ଗ୍ରାମର ସରୋଜ କୁମାର ସାହୁ(୩୮)ଦୀର୍ଘଦିନ ହେବ କୋଠଭୂଇଁ ପଞ୍ଚାୟତରେ ଜିଆରଏସ ଭାବରେ କାର୍ଯ୍ୟ କରୁଥିଲେ। ତେବେ ୪ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
    ଅନ୍ୟପକ୍ଷରେ ଗତ ୨୦ ତାରିଖରେ ଅନୁଗୁଳ ମେଡ଼ିକାଲରେ ତାଙ୍କର କରୋନା ଟେଷ୍ଟ କରାଯାଇଥିବାବେଳେ ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା। ସରୋଜଙ୍କ ଅକ୍ସିଜେନ ସ୍ତର କମ ରହୁଥିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ସତ୍ତେ୍ୱ ମଧ୍ୟ ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ।
    ସୂଚନାଯୋଗ୍ୟ ଯେ, ମୃତ ଜିଆରଏସ କରୋନାର ଦ୍ୱିତୀୟ ଡୋଜ ଟିକା ମଧ୍ୟ ନେଇସାରିଥିଲେ। ଆଜି ତାଙ୍କ ମୃତଦେହ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଦାହ କରାଯାଇଥିଲା।