ଝରିଗାଁ ବ୍ଲକରେ ଘୋଷଣାରେ ସୀମିତ କୋଭିଡ କେୟାର ସେଣ୍ଟର

ଝରିଗାଁ,ଏନ୍ଏନ୍ଏସ୍: ଝରିଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଉଛି । ଏହାକୁ ନେଇ ସାଧାରଣଲୋକେ ଭୟଭୀତ ହେଉଥିବା ବେଳେ ଝରିଗାଁ ବ୍ଲକ୍ ପ୍ରଶାସନ ଏ ଦିଗରେ ଯେଉଁ ପରିମାଣରେ ସକ୍ରିୟ ହେବା କଥାହେଉ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। କରୋନାର ଦିତୀୟ ଲହରରେ ସଂକ୍ରମଣ ଏବେ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି।ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ କରୋନା ସ୍ଥିତି ସଙ୍ଗିନ ହେଉଛି।ଆଜି ୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ଲହରରେ ୮ଶହରୁ ଊର୍ଦ୍ଧ ସଂକ୍ରମିତ ହେଲେଣି। ଏହାର ମୁକାବିଲା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ କଟକଣାକୁ କଡ଼ାକଡ଼ି କରାଯାଇଛି। କରୋନା ଅଧିକ ବ୍ୟାପିବା ଆଶଙ୍କାରେ ବ୍ଲକ ସଦର ସ୍ଥିତ ସମସ୍ତ ଦୋକାନ, ବଜାର ଏପ୍ରିଲ ୨୨ ତାରିଖରୁ ଏଯାବତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟି ରେ ରଖି ଝରିଗାଁ ବ୍ଲକରେ ୭ଟି କ୍ଲୋଷ୍ଟର ଟିଏମସି ଖୋଲାଯାଇଛି। ସେହିପରି ଝରିଗାଁ ରେ କୋଭିଡ୍ କେୟାର ସେଣ୍ଟର ର ଆବଶ୍ୟକତା ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କିଛିଦିନ ତଳେ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ। ଏହାପରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଝରିଗାଁ ବ୍ଲକ ଗସ୍ତକରି ନେଡାଲ ହାଇସ୍କୁଲ ହଷ୍ଟେଲରେ କୋଭିଡ୍ କେୟାର ସେଣ୍ଟର ଖୋଲିବା ପାଇଁ ଭିତ୍ତିଭୂମି ର ତଦାରଖ ମଧ୍ୟ କରିଥିଲେ। ଏହି କୋଭିଡ଼ କେୟାର ସେଣ୍ଟରରେ ୬୦ଟି ଶଯ୍ୟା ଓ ୩୦ଟି ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ଇତି ମଧ୍ୟରେ ଜିଲ୍ଲାର ୫ଟି ସ୍ଥାନରେ କୋଭିଡ ଯତ୍ନ କେନ୍ଦ୍ରର ଶୁଭାରମ୍ଭ ହୋଇ ସଫଳତାର ସହକାରେ କୋଭିଡ ସଂକ୍ରମିତଙ୍କୁ ସେବା ଯୋଗାଇ ଦିଆଯାଇଛି କିନ୍ତୁ ଝରିଗାଁବାସୀ ଏଯାବତ ଚାତକ ଭଳି ଚାହିଁ ବସିଛନ୍ତି। ବ୍ଲକରେ ଏଯାଏ କୋଭିଡ଼ ଯତ୍ନ କେନ୍ଦ୍ର ଖୋଲା ଯାଇ ନ ପାରିବା ପ୍ରାଶାସନିକ ଓ ରାଜନେତାଙ୍କ ପାରିବା ପଣିଆକୁ ପଦାରେ ପକାଇଛି।

ଏନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ ଜଣେଇଥିଲେ ଯେ ଝରିଗାଁ ରେ କୋଭିଡ ଯତ୍ନ କେନ୍ଦ୍ରର ଆବଶ୍ୟକତା ରହିଛି ତେଣୁ ସେ ଜିଲ୍ଲାପାଳ ଙ୍କ ସହିତ ଜରୁରୀ ଆଲୋଚନା କରିଛନ୍ତି । ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ନେଇ ବିଳମ୍ବ ହୋଇଛି , ତେବେ ଅଳ୍ପ ଦିନ ଭିତରେ କୋଭିଡ ଯତ୍ନ କେନ୍ଦ୍ର ଝରିଗାଁ ରେ କାର୍ଯ୍ୟକ୍ଷମ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଜଣେଇ ଥିଲେ ଯେ ଝରିଗାଁ ଆଦର୍ଶ ବିଦ୍ୟାଳୟ ଠାରେ କୋଭିଡ ଯତ୍ନ କେନ୍ଦ୍ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆବଶ୍ୟକ କର୍ମଚାରୀଙ୍କ କାର୍ଯ୍ୟରେ ଯୋଗଦାନ ପରେ ଅତିଶୀଘ୍ର କେନ୍ଦ୍ର ର ଶୁଭାରମ୍ଭ ହୋଇଯିବ। ତେବେ ଝରିଗାଁ ରେ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ କୋଭିଡ୍ ଯତ୍ନ କେନ୍ଦ୍ର ଖୋଲିବା ସହ ଆବଶ୍ୟକ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଅକ୍ସିଜେନ୍, ଔଷଧ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖୁବା ନେଇ ସାଧାରଣରେ ଦାବି ହେଉଛି।