ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ୍ ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଞ୍ଚଳର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ବୁଧବାର କୋଭିଡ୍ ପରିଚାଳନା ବିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମଜିଏନଆରଇଜିଏସ୍ ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚାଷୀ, ମିଶନ ଶକ୍ତିର ସଦସ୍ୟା, ଏମଏସଏମଇ ଓ ବୁଣାକାରମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭାରତର ପ୍ରଥମ ତୈମାସିକ ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩ ପ୍ରତିଶତ ଥିବାରୁ ଲୋକମାନଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ୍ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟରେ କୋଭିଡ୍ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାରରେ ପହଞ୍ôଚଥିବାରୁ ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। କୋଭିଡ ଯୋଦ୍ଧା ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନଦନ ଜଣାଇଥିଲେ। ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ୍ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ୱର କଟକ (ଟ୍ୱିନସିଟି) କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନାହିଁ। ତେଣୁ ଭୁବନେଶ୍ୱର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୁଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଭୁବନେଶ୍ୱର-କଟକର ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମୃତ୍ୟୁହାର କମ ଥିବା ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ ବୈଠକ ସଞ୍ଚାଳନ କରିଥିଲେ।