ରାୟଗଡାରେ ହେବ କୋଭିଡ ସ୍ୱାବ ଟେଷ୍ଟିଂ

ରାୟଗଡ଼ା,ଏନ୍ଏନ୍ଏସ୍ : ଅତି ଶୀଘ୍ର ରାୟଗଡ଼ାରେ ହେବ କୋଭିଡ଼୍ ସ୍ୱାବ୍ ଟେଷ୍ଟିଂ। ମେ’ ୨୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଦିନକୁ ଶହେ ସ୍ୱାବ ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ଗତ ଦୁଇଦିନ ତଳେ ବାଇଓସେଫଟି କ୍ୟାବିନେଟ୍ ମେସିନ୍ ରାୟଗଡ଼ାରେ ପହଞ୍ଚିବା ପରେ ଦୁଇ ବଜ୍ଞାନିକ ଓ ଇଞ୍ଜିନିୟର୍ ସ୍ଥିତି ଯାଞ୍ଚ କରି ଫେରିଛନ୍ତି। ଆଜି ଅନ୍ୟ ସମସ୍ତ ମେସିନ୍ ଏକ ଟ୍ରକ ଯୋଗେ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୦୮ ମସିହାରେ ରିଜିଓନାଲ୍ ମେଡ଼ିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ର ଏକ ୟୁନିଟ୍ ପ୍ରତିଷ୍ଟା କରଯାଇଥିଲା ।

ସେତେବେଳେ କାଶୀପୁରରେ ବ୍ୟାପିଥିବା କଲୋରା, ଡାଇରିଆକୁ ରୋକିବା ଓ ନମୁନା ପରୀକ୍ଷଣ ପାଇଁ ଏହି ୟୁନିଟ୍ କାର୍ଯ୍ୟ କରିବା ସହ କେବିକେ ଜିଲ୍ଲା ପାଇଁ ପିପିପି ମୋଡ଼ରେ ପ୍ରତିଷ୍ଠା ହୋଇଥିବା ଏହି ୟୁନିଟକୁ ରାଜ୍ୟ ସରକାର ୨୦୨୦ ଜାନୁଆରୀ ମାସରେ ଅନୁଦାନ ବନ୍ଦ କରିଦେବା ପରେ ୟୁନିଟଟି ସମ୍ପୂର୍ଣ ବନ୍ଦ ରହିଥିଲା। ସଂପୃକ୍ତ ୟୁନିଟ୍ କରୋନା ମୁକାବିଲା କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଉପାଦେୟ ହେବା ଜଣା ପଡ଼ିବା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ ଆରଏମଆରସିରେ କୋଭିଡ଼୍ ସ୍ୱାବ ଟେଷ୍ଟିଂ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ରାଜ୍ୟ ସରକାର ବିଚାରକୁ ନେଇ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କୋଭିଡ୍ ଟେଷ୍ଟିଂ ସେଣ୍ଟର୍ କାର୍ଯ୍ୟକ୍ଷମ ପାଇଁ ଆରଏମଆରସିକୁ ଅନୁରୋଧ କରିଥିଲେ । ତେବେ ରିଜଓନାଲ୍ ମେଡ଼ିକାଲ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଦୁଇ ବ÷ଜ୍ଞାନିକ ଓ ଇଞ୍ଜିନିୟର୍ ରାୟଗଡ଼ା ଆସି ସ୍ଥିତାବସ୍ଥା ଯାଞ୍ଚ କରିବା ପରେ ଗତ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ବାଇଓସେଫଟି କ୍ୟାବିନେଟ୍ ମେସିନ୍ ପହଞ୍ଚିଥିଲା। ବାଇଓସେଫଟି ମେସିନ ପ୍ରତିଷ୍ଠା କାମ ଆଗେଇ ଚାଲିଥିବା ବେଳେ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମେସିନ୍ ଗୁଜୁରାଟ, ଚେନ୍ନାଇରୁ ଆସି ଆଜି ପହଞ୍ଚିଛି । ଏହା ପୂର୍ବରୁ ଜଣେ ମାଇକ୍ରୋ ବାଇଓଲୋଜିଷ୍ଟ୍, ୨ ଜଣ ଲ୍ୟାବ୍ ଟେକ୍ନିସିଆନକୁ ପରୀକ୍ଷଣ ତାଲିମ୍ ପାଇଁ ଭୁବନେଶ୍ୱର ପଠାଯିବ।

ଟେଷ୍ଟିଂ ୟୁନିଟ୍ କାର୍ଯ୍ୟକ୍ଷମ ପରେ ସ୍ୱାବ୍ ପରୀକ୍ଷଣକୁ ବଢ଼ାଇବା ଲାଗି ଅତିରିକ୍ତ ଜଣେ, ଦୁଇ ଜଣ ଟେକ୍ନିସିଆନକୁ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି ଅର୍ଥରେ ନିଯୁକ୍ତି ଦେବା ଲାଗି ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଆରଏମଆରସିର ସ୍ୱାବ ଟେଷ୍ଟିଙ୍ଗ ୟୁନିଟ କାର୍ଯ୍ୟକ୍ଷମ ହେବାପରେ ଅଧିକରୁ ଅଧିକ ସ୍ୱାବ ନମୂନା ପରୀକ୍ଷା ହୋଇ ପାରିବ ବୋଲି କହିଛନ୍ତି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ ।