ପାର୍ବଣ ଋତୁରେ କେତେକ ରାଜ୍ୟରେ ବଢିଛି ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ଏଜେନ୍ସି: ଭାରତରେ କରୋନା ସ୍ଥିତି ଦିନକୁ ଦିନ ସୁଧୁରିବାରେ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା କମି ଚାଲିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ବଢିଚାଲିଛି। ଦେଶରେ ଏବେ ଆରୋଗ୍ୟ ହାର ୯୦ ପ୍ରତିଶତ ଟପିଯାଇଛି। ମାତ୍ର ପାର୍ବଣ ଋତୁରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ପରିଲକ୍ଷିତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ ଏବେ କରୋନା ଆରୋଗ୍ୟ ହାର ୯୦.୬୨ ପ୍ରତିଶତକୁ ବୃଦ୍ଧି ପାଇଛି ଓ ଏହା ନିୟମିତ ଭାବେ ବଢିଚାଲିଛି। ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ଦେଶର ପ୍ରାୟ ୭୮ ପ୍ରତିଶତ ସକ୍ରିୟ ମାମଲା ରହିଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା କରୋନା ଜନିତ ମୃତ୍ୟୁଗୁଡିକ ମଧ୍ୟରୁ ୫୮ ପ୍ରତଶତ ୫ଟି ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ ଓ କର୍ଣ୍ଣାଟକରେ ହୋଇଛି। ଚଳିତ ପାର୍ବଣ ଋତୁରେ କେତେକ ରାଜ୍ୟ ଯେପରିକି କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବଢିଥିବା ଲକ୍ଷ୍ୟ କରାଯାଇଛି ବୋଲି ସେ କହିଛନ୍ତି।