ସୀମାନ୍ତରେ ପ୍ରଶାସନର କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସୀମାନ୍ତ କନକତୋରା ଗ୍ରାମରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଉପ ଜିଲ୍ଲାପାଳ ଶିବ ଟପ୍ପୋ, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତ ରାୟ ପ୍ରମୁଖ ଉପସ୍ଥିତ ରହି ଛତିଶଗଡ଼ ସୀମାନ୍ତ ବାସୀଙ୍କୁ କରୋନା ଉପରେ ସଚେତନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ଏପର୍ଯ୍ୟନ୍ତ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇନାହିଁ। କିଛି କିଛି ରାଜ୍ୟରେ ଏହାର ଦ୍ୱିତୀୟ ଲହର ମଧ୍ୟ ଦେଖିବାକୁ ମିଳିଛି। ଛତିଶଗଡ଼ ସେଥି ମଧ୍ୟରେ ଅନ୍ୟତମ। ତେଣୁ ଝାରସୁଗୁଡ଼ା-ଛତିଶଗଡ ସୀମାରେ ରହୁଥିବା ଲୋକେ କିପରି ଭାବରେ ଛତିଶଗଡ଼ ସହ ସହ କମ ସମ୍ପର୍କ ରଖି ହେବ ସେ ଦିଗରେ ଧ୍ୟାନ ଦିଅନ୍ତୁ। ଆବଶ୍ୟକ ନଥିଲେ ଛତିଶଗଡ଼ରେ ଥିବା ନିଜ ସମ୍ପର୍କୀୟ ଘରକୁ ଯାତାୟାତ କରନ୍ତୁ ନାହିଁ। ବ୍ୟବସାୟ ତଥା ଅନ୍ୟ କୌଣସି କାମ ପାଇଁ ଯେତେ କମ ସମ୍ଭବ ସେତିକି ଛତିଶଗଡ଼କୁ ଯାତାୟାତ କରନ୍ତୁ। ସେହିପରି ଛତିଶଗଡ଼ରେ ଥିବା ସମ୍ପର୍କୀୟ ଓ ବ୍ୟବସାୟିକ ବନ୍ଧୁଙ୍କୁ ଫୋନ ମାଧ୍ୟମରେ ଏବାବଦରେ ସତର୍କ କରାନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ଅନୁସାରେ ଫୋନ, ହ୍ୱାଟ୍ସଆପ୍, ମେସେଜ, ଇମେଲ ମାଧ୍ୟମରେ ସମ୍ପର୍କ ରଖନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ସବୁବେଳେ ମାସ୍କ, ସାନିଟାଇଜର ବ୍ୟବହାର, ହାତଗୋଡ଼ ଭଲ ଭାବରେ ଧୋଇବାକୁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ବାହାଘର, ଧାର୍ମିକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଗହଳି ନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଶ୍ରୀ ସାମଲ ଆହୁରି ମଧ୍ୟ କହିଛନ୍ତି ଯେ, ସୀମାନ୍ତ ବାସୀ ଏକତ୍ରିତ ହୋଇ କରୋନାର ମୁକାବିଲା ପାଇଁ ପ୍ରଶାସନକୁ ସାହାଯ୍ୟ କରନ୍ତୁ। ସୀମାରେ ଲୋକେ ସତର୍କ ରହି ସରକାରଙ୍କ ସମସ୍ତ କୋଭିଡ ନିୟମର ପାଳନ କରନ୍ତୁ। ଫଳରେ ଜିଲ୍ଲା ତଥା ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିହେବ। ଏହି ଅବସରରେ ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ପଟେଲ, ଲଖନପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ପଧାନ, ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ୱାଳ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।