ଦିଲ୍ଲୀର ୪୫୦ ପୁଲିସ କର୍ମଚାରୀଙ୍କୁ କୋଭିଡ୍-୧୯

ନୂଆଦିଲ୍ଲୀ,ଏଜେନ୍ସି : କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦିଲ୍ଲୀ ପୁଲିସର ୪୫୦ କର୍ମଚାରୀ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ତେବେ ସେମାନଙ୍କ ମଧ୍ୟରୁ ୧୯୬ ଜଣ ଆରୋଗ୍ୟ ଲାଭ କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏବେ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ୨୪୬ ପୁଲିସ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୦୦ ପୁଲିସ କର୍ମଚାରୀଙ୍କ ନମୁନା ପରୀକ୍ଷଣ କରାଯାଇଛି। ଦିଲ୍ଲୀର ୭ଟି ପୁଲିସ ଷ୍ଟେସନରେ କାର୍ଯ୍ୟରତ ୭ ଷ୍ଟେସନ୍ ହାଉସ୍ ଅଧିକାରୀଙ୍କ ସମେତ ଆଇପିଏସ୍ କ୍ୟାଡରର ଦୁଇଜଣ ଅଧିକାରୀଙ୍କୁ କରୋନା ସଂକ୍ରମଣ କରିଛି।

ଦିଲ୍ଲୀର ଜଣେ ପୁଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀ ପୁଲିସର ଆଗଧାଡ଼ିରେ ରହି କାର୍ଯ୍ୟ କରୁଥିବା କନ୍ଷ୍ଟେବଲ, ମୁଖ୍ୟ କନଷ୍ଟେବଲ, ବିଟ୍ କନଷ୍ଟେବଲ, ଏଏସଆଇ, ଏସଆଇ ଓ ଇନସ୍ପେକ୍ଟରମାନେ କରୋନାରେ ପୀଡ଼ିତ ହୋଇଥିବାର ଜଣାପଡ଼ିଛି। ନିକଟରେ ଉତ୍ତର-ପୂର୍ବ ଦିଲ୍ଲୀସ୍ଥିତ ଗୋଟିଏ ପୁଲିସ ଷ୍ଟେସନର ଏସଏଚଓଙ୍କୁ କରୋନା ସଂକ୍ରମଣ କରିଛି। ବୁଧବାର ଦ୍ୱାରକା ଜିଲ୍ଲାର ଜଣେ ଏସଏଚଓ ଅଧିକାରୀଙ୍କୁ କରୋନା ସଂକ୍ରମଣ କରିଛି। ଗତ ସପ୍ତାହକ ଭିତରେ ୧୫୦ ପୁଲିସ କର୍ମଚାରୀ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ୨୦୦ ଜଣଙ୍କୁ କରୋନା ସଂକ୍ରମଣ କରିଥିବାର ଜଣାପଡ଼ିଛି।

ପ୍ରତିକାର ସ୍ୱରୂପ ଦିଲ୍ଲୀ ପୁଲିସ ପକ୍ଷରୁ ‘ଲେଟସ ଫାଇଟ୍ କୋଭିଡ୍-ଡିପି’ ନାମକ ହ୍ୱାଟ୍ସ ଗ୍ରୁପ ଗଠନ କରାଯାଇଛି। ଡ୍ୟୁଟି ସମୟରେ କରୋନା ସଂକ୍ରମଣ କରିଥିବାର ଜଣାପଡ଼ିଲେ, ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ପ୍ରାଥମିକ ସହାୟତା ସ୍ୱରୂପ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ପୁଲିସ ସୂତ୍ରରୁ ପ୍ରକାଶ। ଜନୈକ ୩୨ ବର୍ଷୀୟ ପୁଲିସ କନଷ୍ଟେବଲ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ସବୁ କର୍ମଚାରୀଙ୍କ ନିୟମିତ ସ୍ୱାସ୍ଥ୍ୟଯାଞ୍ଚ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। କୌଣସି କର୍ମଚାରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ମାତ୍ରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ କୁହାଯାଇଛି।