କଙ୍ଗନା ଓ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ

ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁମ୍ବାଇର ବାନ୍ଦ୍ରା ମେଟ୍ରୋପଲିଟାନ୍ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କଙ୍ଗନା ଏବଂ ରଙ୍ଗୋଲୀ ନିଜ ଟ୍ୱିଟ୍ ତଥା ଇଣ୍ଟରଭ୍ୟୁ ଜରିଆରେ ସାମ୍ପ୍ରଦାୟିକ ଘୃଣାଭାବ ବିସ୍ତାର କରାଉଥିବା ସମ୍ପର୍କରେ ଏଫ୍‌ଆଇଆର୍ ଫାଇଲ୍ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁନ୍ନା ବରାଲି ଏବଂ ସାହିଲ୍ ଅସରଫ ସୟିଦ୍ ନାମକ ଦୁଇଜଣ ଯୁବକ ବାନ୍ଦ୍ରା କୋର୍ଟରେ ଏ ସମ୍ପର୍କରେ ଏକ ପିଟିସନ ଦେଇଥିଲେ ।

କଙ୍ଗନା ଟିଭି ଚ୍ୟାନେଲ୍‌ରେ ଦେଉଥିବା ଇଣ୍ଟରଭ୍ୟୁ ଜରିଆରେ ହିନ୍ଦୁ ମୁସଲମାନ କଳାକାରଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଉଛନ୍ତି । ଏହାଛଡ଼ା ବିଏମ୍‌ସିକୁ ‘ବାବର ସେନା’ ବୋଲି ଆଖ୍ୟା ଦେଇ ଏବଂ ଜମାତ ଦ୍ୱାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବୟାନ ଦେଇ କଙ୍ଗନା ସାମ୍ପ୍ରଦାୟିକ ହିଂସା କରାଇବାକୁ ଚାହୁଁଥିବା ଆବେଦନକାରୀମାନେ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଯେଉଁ ଲୋକମାନେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)ର ବିରୋଧ କରୁଥିଲା ସେଇମାନେ ଆଜି କୃଷି ଆଇନ୍‌ର ବିରୋଧ କରି ଦେଶରେ ହିଂସା ପରିସ୍ଥିତି ଉପୁଜାଇବାକୁ ଚାହୁଁଛନ୍ତି ବୋଲି ଅକ୍ଟୋବର ୨୧ରେ କଙ୍ଗନା ଟ୍ୱିଟ୍ କରି କହିଥିଲେ । ଏହା ବିରୋଧରେ କର୍ଣ୍ଣାଟକର ତୁମାକୁରୁ ଥାନାରେ ମାମଲା ରୁଜୁ କରାଯାଇଛି ।