ମାଲ୍ୟାଙ୍କ ସମ୍ପତ୍ତି ବିକ୍ରିକୁ ପିଏମଏଲଏ କୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକରୁ ବହୁକୋଟି ଟଙ୍କାର ଋଣ ନେଇ ବିଦେଶ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କ ଜବତ ସମ୍ପତ୍ତିକୁ ବିକ୍ରି କରିବା ଲାଗି ସ୍ୱତନ୍ତ୍ର ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏବଂ ଅନ୍ୟ କେତେକ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଋଣ ଆଦାୟ କରିପାରିବେ।

ଏହି ଋଣ ଆଦାୟ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କୌଣସି ଆପତ୍ତି ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା। ମାତ୍ର ଏହା କେବଳ ଡେଟ୍ ରିକୋଭରି ଟ୍ରିବ୍ୟୁନାଲ୍ ଧାର୍ଯ୍ୟ କରିପାରିବେ ବୋଲି ମାଲ୍ୟାଙ୍କ ଓକିଲ ଦାବି କରିଥିଲେ। ହେଲେ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଏହି ନିର୍ଣ୍ଣୟ ଉପରେ ଜାନୁଆରୀ ୧୮ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି। ଯାହାଫଳରେ ମାଲ୍ୟା ଏହି ନିର୍ଦ୍ଦେଶ ବିରୋଧରେ ବମ୍ବେ ହାଇକୋର୍ଟରେ ଅପିଲ୍ କରିପାରିବେ।

ବ୍ୟାଙ୍କଗୁଡ଼ିକରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଚୁକ୍ତା କରିବା, ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ବ୍ରିଟେନରେ ମାଲ୍ୟା ମୋକଦ୍ଦମାର ସାମନା କରୁଛନ୍ତି। ୨୦୧୯ ଡିସେମ୍ବରରେ ଲଣ୍ଡନ କୋର୍ଟ ମାଲ୍ୟାଙ୍କୁ ନେଇ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ୨୦୨୦ ଜାନୁଆରୀରେ ଲଣ୍ଡନ କୋର୍ଟ ଏହି ରାୟକୁ ଶୁଣାଇବେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।