ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ଆଧ୍ୟାତ୍ମିକ ପେଣ୍ଠସ୍ଥଳୀ ପୁରୀ ଜିଲ୍ଲା। ଯେଉଁଠି ବିରାଜିଛନ୍ତି ଜଗତର ନାଥ ଜଗନ୍ନାଥ। ଜଗନ୍ନାଥ ଧାମ ଯୋଗୁଁ ସାରା ବିଶ୍ୱରେ ପରିଚିତ ପୁରୀ ଜିଲ୍ଲା। ଏଥିସହ ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର, ସାକ୍ଷୀଗୋପାଳର ଗୋପୀନାଥ ଜୀଉ, ବ୍ରହ୍ମଗିରିର ଅଲାରନାଥ ମନ୍ଦିର, ସାତପଡ଼ାର ଇରାୱାଡ଼ି ଡଲଫିନ୍ ମଧ୍ୟ ପୁରୀ ଜିଲ୍ଲାର ଅନ୍ୟତମ ଆକର୍ଷଣ। ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ସାଙ୍ଗକୁ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗର ସମୁଦ୍ରତଟ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ମତୁଆଲା କରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସାଙ୍ଗକୁ ମହାପ୍ରଭୁଙ୍କ ୧୨ ମାସରେ ୧୩ ଯାତ୍ରା ଓଡ଼ିଶାର ଅନନ୍ୟ ପରମ୍ପରାର ପରିଚୟ ପ୍ରଦାନ କରେ। ଏହାବାଦ୍ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର ଓଡ଼ିଶାର ନିଆରା କାରିଗରୀର ବାର୍ତ୍ତା ବହନ କରେ। ଏହି ମାଟିରେ ଜନ୍ମିଥିଲେ ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷାର ସୁରକ୍ଷା କବଚ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ। ଏଣୁ ରାଜ୍ୟ ରାଜନୀତିରେ ପୁରୀ ଜିଲ୍ଲାର ସ୍ଥାନ ବେଶ୍ ସ୍ୱତନ୍ତ୍ର। ପଞ୍ଚାୟତ ନିର୍ବାଚନକୁ ନେଇ ବେଶ୍ ଉଷ୍ମ ହୋଇଉଠିଛି ଏଠିକାର ପାଣିପାଗ।
ପୁରୀ ଜିଲ୍ଲାରେ ରହିଛି ମୋଟ ୧୧ଟି ବ୍ଲକ୍। ଯଥା ନିମାପଡ଼ା, ପିପିଲି, ଡେଲାଙ୍ଗ, ଗୋପ, କାକଟପୁର, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ, ପୁରୀ ସଦର। ଜିଲ୍ଲାରେ ମୋଟ ୩୩ଟି ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ରହିଛି ୨୬୮ଟି ଗ୍ରାମପଞ୍ଚାୟତ ଏବଂ ୩୮୦୪ଟି ୱାର୍ଡ଼। ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ମୋଟ ୧୧ଲକ୍ଷ ୫୨ହଜାର ୭୧ଜଣ ଭୋଟର ମତଦାନ ପାଇଁ ତାଲିକାଭୁକ୍ତ ହୋଇଥିଲେ ଏବଂ ୭୬.୦୪ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଥିଲା।
୨୦୧୭ ଫେବୃଆରୀ ୧୩ରୁ ୨୧ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଜିଲ୍ଲାରେ ମତଦାନ ହୋଇଥିଲା। ଜିଲ୍ଲାର ମୋଟ ୩୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମୋଟ ୧୪୫ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ। ବିଜେଡି ଓ ବିଜେପି ସମସ୍ତ ୩୩ଟି ଜୋନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୩୧ଟି ଜୋନରେ, ସିପିଆଇ ୫ଟି ଜୋନରେ ଏବଂ ସିପିଏମ୍ ୨ଟି ଜୋନରେ ପ୍ରାର୍ଥୀ ଦେଇଥିଲା। ଅନ୍ୟଦଳରୁ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ୩୬ଜଣ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଥିଲେ। ତେବେ ଜିଲ୍ଲାରେ ମୁଖ୍ୟତଃ ଶାସକ ବିଜେଡି ଏକପାଖିଆ ସଫଳତା ହାସଲ କରିଥିଲା। ବିଜେଡି ୩୧ଟି ଜୋନ୍ ହାତେଇଥିବା ବେଳେ ବିଜେପି ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଜୋନ୍ରେ ଜିତିଥିଲେ। କଂଗ୍ରେସ ଆଦୌ ଖାତା ଖୋଲିପାରିନଥିଲା।
କଣାସ ବ୍ଲକର ୩ଟି ଜୋନ୍, କାକଟପୁରର ୩ଟି ଜୋନ୍, କୃଷ୍ଣ ପ୍ରସାଦର ୨ଟି ଜୋନ୍, ଗୋପ ବ୍ଲକର ୪ଟି ଜୋନ୍, ଡେଲାଙ୍ଗର ୩ଟି ଜୋନ୍, ପିପିଲିର ୩ଟି ଜୋନ୍, ପୁରୀ ସଦର ବ୍ଲକର ୩ଟି ଜୋନ୍, ବ୍ରହ୍ମଗିରିର ୩ଟି ଜୋନ୍ ଓ ସତ୍ୟବାଦୀର ୩ଟି ଜୋନ୍ରେ ଶାସକ ଦଳ ବିଜେଡି ମୁଳପୋଛ କରି ସବୁ ସିଟ୍ ହାତେଇଥିଲା। ନିମାପଡ଼ାର ୪ଟି ଜୋନ୍ରୁ ବିଜେଡି ଖାତାକୁ ୩ଟି ଏବଂ ବିଜେପିକୁ ଗୋଟିଏ ଆସିଥିଲା। ସେହିଭଳି ଅସ୍ତରଙ୍ଗର ୨ଟି ଜୋନ୍ରୁ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଏବଂ ଅନ୍ୟଟିରେ ବିଜେଡି ପ୍ରାର୍ଥୀ ବିଜୟଲାଭ କରିଥିଲେ। ବିଜେଡି ସବୁଠୁ ଅଧିକ ଆସନ ଜିତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦ ହାତେଇଥିଲା। ଜ୍ୟୋତିର୍ମୟ ଦଳେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଦିପ୍ତୀରାଣୀ ସ୍ୱାଇଁ ଉପାଧ୍ୟକ୍ଷ ହୋଇଥିଲେ।
ପୁରୀ ଜିଲ୍ଲାରେ ରହିଛି ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ପୁରୀ, ବ୍ରହ୍ମଗିରି, ପିପିଲି, ନିମାପଡ଼ା, କାକଟପୁର ଓ ସତ୍ୟବାଦୀ। ୪ଟି ଆସନ ବର୍ତ୍ତମାନ ବିଜେଡି ଦଖଲରେ ରହିଥିବା ବେଳେ ୨ଟି ଆସନରେ ବିଜେପି ବିଧାୟକ ରହିଛନ୍ତି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବର୍ତ୍ତମାନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ସେହିଭଳି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ରାଜ୍ୟର କ୍ରୀଡ଼ା ମନ୍ତ୍ରୀ। ଯାହା ସ୍ପଷ୍ଟ ଦର୍ଶାଉଛି ଯେ ପୁରୀ ଜିଲ୍ଲାର ନେତାଙ୍କ ରାଜ୍ୟ ରାଜନୀତିରେ ଦବଦବା ବେଶ୍ ଅଧିକା। ପିପିଲିର ପୂର୍ବତନ ବିଧାୟକ ସ୍ୱର୍ଗତ୍ ପ୍ରଦୀପ ମହାରଥୀ ବିଜେଡିର ଜଣେ ଟାଣୁଆ ନେତା ଥିଲେ। ରାଜ୍ୟ ସରକାରରେ ସେ ବହୁବାର ମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ରୁଦ୍ର ମହାରଥୀ ସେଠାରୁ ବିଧାୟକ। ସେହିଭଳି ପୁରୀ ଆସନରୁ ବିଜେଡି ପ୍ରାର୍ଥୀ ହୋଇଆସୁଥିବା ମହେଶ୍ୱର ମହାନ୍ତି ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି। ୨୦୧୯ରେ ସେ ଅଳ୍ପକେ ବିଜେପିର ଜୟନ୍ତ ଷଡ଼ଙ୍ଗୀଙ୍କ ଠାରୁ ହାରିଛନ୍ତି।
ଅନ୍ୟପଟେ ବିଜେଡି ସଂଗଠନରେ ଅହେତୁକ କ୍ଷମତା ରଖୁଥିବା ସଞ୍ଜୟ ଦାଶବର୍ମା ହେଉଛନ୍ତି ବ୍ରହ୍ମଗିରିରେ ଦଳୀୟ ବିଧାୟକ ପ୍ରାର୍ଥୀ। ୨୦୧୯ ନିର୍ବାଚନରେ ସେ କଡ଼ା ମୁକାବିଲା ମଧ୍ୟରେ ସ୍ୱର୍ଗତ୍ ଲୁଲୁ ମହାପାତ୍ରଙ୍କ ଭାଇ ତଥା ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ମହାପାତ୍ରଙ୍କ ଠାରୁ ହାରିଥିଲେ। ତଥାପି ଦଳରେ ତାଙ୍କର ଗୁରୁତ୍ୱ ସକାଶେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ନିଯୁକ୍ତ ହେବାସହ ବିଜେଡି ମୁଖ୍ୟାଳୟ ଦାୟିତ୍ୱରେ ଅଛନ୍ତି। ଏହିପରି ପୁରୀ ଜିଲ୍ଲାରେ ବିଜେଡିର ଟାଣୁଆ ନେତା ଭର୍ତ୍ତି ହୋଇରହିଛନ୍ତି। ପୁରୀ ଲୋକସଭା ମଧ୍ୟ ବିଜେଡି ହାତରେ ରହିଛି। ବିଶେଷ କରି ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସଞ୍ଜୟ ଦାସବର୍ମା ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କାନ୍ଧରେ ଚଳିତ ପଞ୍ଚାୟତ ନିର୍ବାଚନ ସକାଶେ ଅଧିକା ଦାୟିତ୍ୱ ଦେଇଛି ଦଳ। ଏଣୁ ୨୦୧୭ ନିର୍ବାଚନ ଭଳି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ଦଳ ଆଶାବାଦୀ ରହିଛି।
ବିଜେପି କଥା ଦେଖିଲେ ବ୍ରହ୍ମଗିରିରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର, ପୁରୀ ଓ ସତ୍ୟବାଦୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପିପିଲିରେ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ନିମାପଡ଼ା ଓ କାକଟପୁରରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ ସଂଗଠନର ଭାର ମୁଣ୍ଡାଇ ଚାଲିଛନ୍ତି। ଲୋକସଭା ପ୍ରାର୍ଥୀ ସମ୍ବିତ ମାତ୍ର ମଣିପୁର ବିଜେପି ପ୍ରଭାରୀ ଥିବାରୁ ସେଠିକାର ବିଧାନସଭା ନିର୍ବାଚନରେ ସିଏ ବ୍ୟସ୍ତ। ପୁରୀ ଆସିପାରୁନାହାନ୍ତି। ଏଣୁ ସ୍ଥାନୀୟ ନେତୃତ୍ୱଙ୍କ ଉପରେ ଦଳ ସବୁ ଛାଡ଼ିଦେଇଛି। ତଥାପି ଗତଥର ଅପେକ୍ଷା ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ପୁରୀ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତ ନେତୃତ୍ୱ ଆଶା ରଖିଛନ୍ତି।
ଅନ୍ୟପଟେ କଂଗ୍ରେସ ଦଳର ସ୍ଥିତି ପୁରୀ ଜିଲ୍ଲାରେ ବେଶ୍ ଦୟନୀୟ। ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ବିଭେଦ ଯୋଗୁଁ ସତ୍ୟବାଦୀର ବିଭିନ୍ନ ଜିଲ୍ଲାପରିଷଦ ଜୋନ୍ରେ ଦଳ ପ୍ରାର୍ଥୀ ଦେଇନପାରିବା ରାଜ୍ୟବ୍ୟାପୀ ନିକଟରେ ଚର୍ଚ୍ଚା ସୃଷ୍ଟି କରିଥିଲା। କଂଗ୍ରେସର ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିଲା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲା କଂଗ୍ରେସର କେହି ସଭାପତି ନଥିବା ବେଳେ କାହା ନେତୃତ୍ୱରେ ଦଳ ଜିଲ୍ଲାରେ ଲଢ଼ୁଛି ତାକୁ ନେଇ କର୍ମୀ ସନ୍ଦିହାନ। ଦଳର ଟାଣୁଆ ନେତା ଲୁଲୁ ମହାପାତ୍ରଙ୍କ ବିୟୋଗ ପୁରୀ କଂଗ୍ରେସ ରାଜନୀତିରେ ଏକ ବଡ଼ ଶୁନ୍ୟସ୍ଥାନ ସୃଷ୍ଟି କରିଛି।
ପିପିଲି ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ସାଙ୍ଗକୁ ଉପନିର୍ବାଚନରେ ପ୍ରଥମେ ପ୍ରାର୍ଥୀ ହୋଇଥିବା ତତ୍କାଳୀନ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ କଂଗ୍ରେସକୁ ପୁରୀ ଜିଲ୍ଲାରେ ଆହୁରି ରସାତଳଗାମୀ କରିଛି। ଏପରିସ୍ଥଳେ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।