କିଛି ଦିନର ନୀରବତା ପରେ ପୁଣି କଫ ସିରଫ ଜବତ, ୨ ଗିରଫ

ଖପ୍ରାଖୋଲ,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ଥାନାଧିକାରୀ ବେଆଇନ କଫ ସିରଫ କାରବାର କରୁଥିବା ୨ଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରିଛି । ଗିିରଫ ଅଭିଯୁକ୍ତ ଦ୍ୱୟ ହେଲେ ଲାଠୋର ଥାନା ଅନ୍ତର୍ଗତ ମାଲପଡ଼ା ଗ୍ରାମର କ୍ଷୀରଧର ବାରିକ ଓରଫ ହାଡୁ(୪୦) ଓ ଅନ୍ୟଜଣେ ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସଦର କୋମନା ପାଇକ ପଡ଼ାର ମାଧବ ନାୟକ(୩୫) । ମିଳିଥିବା ରିପୋର୍ଟ ମୁତାବକ, ସନ୍ଧ୍ୟା ୬ଟା ୩୦ ସମୟରେ ଖପ୍ରାଖୋଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘୁନଶର ମିଲ ନିକଟସ୍ଥ ଡୁଙ୍ଗରି ପାଖ ବୁଲାଣିରେ ଜଣଙ୍କଠାରୁ ୬୧ଟି ସିଲ୍ ଥିବା ୧୦୦ ମିଲି ବିଶିଷ୍ଟ ଏସ କଫ ସିରଫ, ଗୋଟିଏ ଷ୍ଟ୍ରିପ ନିଶା ଟାବଲେଟ, ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରାଯାଇଛି । ଉପରୋକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଖପ୍ରାଖୋଲ ଥାନାକୁ ଆଣି ଅଧିକ ପଚରାଉଚୁରା କରିବାରୁ ଅନ୍ୟଜଣେ ଅଭିଯୁକ୍ତ ଏହି କଫ ସିରଫ ରେକେଟରେ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଥିଲା । ପରେ ତାକୁ ଗିରଫ କରି ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି । ଏନେଇ ଖପ୍ରାଖୋଲ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତଙ୍କ ସହ ସଂଶ୍ଲିଷ୍ଟ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।