କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଡ୍ରଗ୍ସ ଇନସ୍ପେକ୍ଟରଙ୍କ ସହାୟତାରେ ସୁନାବେଡ଼ା ଓ ଦାମନଯୋଡ଼ି ପୁଲିସ୍ ଦ୍ୱାରା ଭେଜାପୁଟ ଏବଂ ମାଥାଲପୁଟ ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର କଫ ସିରପ୍ ସମେତ ବିଭିନ୍ନ ପ୍ରକାର ନିଶା ଔଷଧ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ, ସୁନାବେଡ଼ା ଥାନା ଭେଜାପୁଟ ଓ ଦାମନଯୋଡ଼ି ଥାନା ଅନ୍ତର୍ଗତ ମାଥାଲପୁଟରେ କିଛି ଅସାଧୁ ବ୍ୟବସାୟୀ ବେଆଇନ୍ ଭାବେ କଫ୍ ସିରପ୍ ଓ ନିଶା ଔଷଧ ବିକ୍ରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।
ସୂଚନା ମୂତାବକ ସୁନାବେଡ଼ା ଥାନା ଅଧିକାରୀ ସୁମିତ୍ରା ଜେନା, ଦାମନଯୋଡ଼ି ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଡ୍ରଗ୍ସ୍ ଇନସ୍ପେକ୍ଟର ଚିନ୍ମୟ କୁମାର ଜେନାଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଭେଜାପୁଟର ଜି.କୃତ୍ତିବାସ ପାତ୍ରଙ୍କ ଦୋକାନ ଏବଂ ମାଥାଲପୁଟ ଗଜପତି କଲୋନୀର ମନୋଜ ବଡ଼ତ୍ୟାଙ୍କ ଘର ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜି.କୃତ୍ତିବାସଙ୍କ ଦୋକାନ ଓ କାରରୁ ୨୦୬୦ ବୋତଲ କଫ୍ ସିରପ୍, ୩୨୨୦ ଏଏମପି ପେଣ୍ଟାଜୋସାଇନ୍ ଇଞ୍ଜେକସନ, ୪୩୦ଟି ନାଇଟ୍ରସନ୍ ଟାବଲେଟ୍, ୩୦୦ ବେକାମ ଟାବଲେଟ୍ ମିଳିଥିଲା।
ଚଢ଼ଉରେ ନିୟୋଜିତ ସ୍ୱତନ୍ତ୍ର ଟିମ୍ ଦୋକାନ ମାଲିକଙ୍କୁ ଉପରୋକ୍ତ ଔଷଧର ବିଲ୍ ଓ ଲାଇସେନ୍ସ ଦେଖାଇବାକୁ କହିଥିଲେ ମଧ୍ୟ ଦୋକାନ ମାଲିକ ଶ୍ରୀ ପାତ୍ର ବିଫଳ ହୋଇଥିଲେ। ପୁଲିସ୍ ତାଙ୍କୁ ଗିରଫ କରିବା ସହ ସମସ୍ତ ଔଷଧ, ସିରପ୍ ସମେତ ଏକ କାର୍ ମଧ୍ୟ ଜବତ କରିଥିଲା। ସେହିପରି ଉକ୍ତ ଟିମ୍ ମାଥାଲପୁଟ ଗଜପତି କଲୋନୀର ମନୋଜ ବଡ଼ତ୍ୟାଙ୍କ ଘରେ ଚଢ଼ଉ କରି ବେଆଇନ୍ ଭାବେ ଗଚ୍ଛିତ ରଖାଯାଇଥିବା ବେଆଇନ ଔଷଧ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୭ ହଜାର ଟଙ୍କା ହେବ ବୋଲି ଏସଡିପିଓ ଶ୍ରୀ ବେହେରା ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସୁନାବେଡ଼ା ଥାନା ଅଧିକାରୀଙ୍କ ସମେତ ଦାମନଯୋଡ଼ି ଥାନା ଅଧିକାରୀ ସମ୍ବିତ ବେହେରା, ଡିଆଇ ଚିନ୍ମୟ ଜେନା ଉପସ୍ଥିତ ଥିଲେ।