ଦୁର୍ନିତୀଗସ୍ତ ଅଧିକାରୀଙ୍କ ବଦଳି ଦାବି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅନେକ ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଗ୍ରହଣ କରିଛନ୍ତି। ବିଡିଓ ସୌମ୍ୟ ସାର୍ଥକ ମିଶ୍ର, କନିଷ୍ଠ ଯନ୍ତ୍ରୀ ଏ ଟି ପାତ୍ର ଓ ଭାରପ୍ରାପ୍ତ ଜିପିଇଓ ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ଉନ୍ନୟନ କାର୍ଯ୍ୟ ଅନୁମୋଦନ ନିମନ୍ତେ ୨୮ରୁ ୩୦ ପ୍ରତିଶତ ପିସି ଦାବି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଠିକାଦାରମାନେ କାମ କରିବାକୁ ରାଜି ହେଉ ନାହାନ୍ତି। ତେବେ ଜିଲ୍ଲା ପ୍ରଶାସନ ମାସକ ମଧ୍ୟରେ ବଦଳି ନ କଲେ ସେମାନେ ଆନ୍ଦୋଳନ ପନ୍ଥା ଆପଣେଇ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଲମତାପୁଟ ବ୍ଲକରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ, ସିନ୍ଧିପୁଟ ପୋଲ ନିର୍ମାଣ, ଏକଲବ୍ୟ ସ୍କୁଲ ନିର୍ମାଣ କରିବା, ବ୍ଲକ ଓ ତହସିଲ କର୍ମଚାରୀ ଲମତାପୁଟ ସଦର ମହକୁମାରେ ରହିବା, ଯୁକ୍ତ ଦୁଇ ବିଜ୍ଞାନ କଲେଜ ଖୋଲିବା, ଭୁବନେଶ୍ୱରରୁ ମାଛକୁଣ୍ଡକୁ ସରକାରୀ ବସ ଚଳାଚଳ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।