ନବ କଳେବରରେ ନିଯୋଗ ଓ ସେବାୟତଙ୍କୁ ୮ କୋଟିରୁ ଅଧିକ ପାଉଣା

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ନବ କଳେବର ୨୦୧୫ ସମୟରେ ପୁରୀ ଶ୍ରୀମନ୍ଦିରରେ ନିଯୋଗ ଓ ସେବାୟତଙ୍କୁ ନିତୀକାନ୍ତି ପାଇଁ କ୍ଷତିପୂରଣ ଓ ପାଉଣା ବାବଦକୁ ୮କୋଟି ୪୪ଲକ୍ଷ ୯୪ ହଜାର ୬୫୩ ଟଙ୍କା ପ୍ରଦାନ କରାଯାଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଜନ ସୂଚନା ଅଧିକାରୀ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡ଼ିଥିବା ନେଇ ବଲାଙ୍ଗୀରର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ଠାକୁରଙ୍କ ୩ ରଥକୁ ଚଢ଼ିବା କଟକଣା ବାବଦକୁ ଦଇତାପତି ନିଯୋଗକୁ କେବଳ କ୍ଷତିପୂରଣ ରାଶି ୨ କୋଟି ୫ ଲକ୍ଷ ୪୩ ହଜାର ୫୦୦ ଟଙ୍କା ୨୦୧୬ – ୧୭ ଆର୍ଥିକ ବର୍ଷରେ ଦିଆଯାଇଛି । ପ୍ରଭୁଙ୍କ ନବ ଯୌବନ ଦର୍ଶନ ଏବଂ ଗରା, ଥାଳି ଓ ପିଙ୍ଗନ ଆଦି ନୀତି ପାଇଁ ଜିନିଷ ପତ୍ର ବାବଦକୁ ୨ କୋଟି ୮୧ଲକ୍ଷ ୪୨ହଜାର ୫୭୯ ଟଙ୍କା ପ୍ରାପ୍ୟ ଓ କ୍ଷତିପୂରଣ ଦିଆଯାଇଛି । ବିଭିନ୍ନ ନିଯୋଗ ଓ ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ପାଉଣା ବାବଦକୁ ୧କୋଟି ୨୧ଲକ୍ଷ ୫୫ ହଜାର ୭୬୬ ଟଙ୍କା ଦିଆଯାଇଥିଲା । ପ୍ରତିହାରୀ ଓ ସୁଆରବଡୁ ସେବକଙ୍କ ପାରମାଣିକ ଅଂଶ ବାବଦକୁ ୧କୋଟି ୭୯ଲକ୍ଷ ୭୭ ହଜାର ୩୫୬ ଟଙ୍କା ଦିଆଯାଇଛି । ଏପରି କର୍ମକୃତ୍ୟ, ବନଯାଗ ଓ ହବିଷ୍ୟ ଇତ୍ୟାଦି ପାଉଣା ବାବଦକୁ ମିଶାଇ ୮କୋଟି ୪୪ଲକ୍ଷ ୯୪ ହଜାର ୬୫୩ ଟଙ୍କା ଦିଆଯାଇଛି ।
ସୂଚନାଯୋଗ୍ୟ, ଶ୍ରଦ୍ଧାଳୁଙ୍କ ରଥ ଚଢ଼ାକୁ ବାରଣ କରାଯିବା ବାବଦକୁ ଦଇତାପତି ନିଯୋଗକୁ କ୍ଷତିପୂରଣ ଦିଆଯାଇଥିଲେ ମଧ୍ୟ ନବ କଳେବର ବର୍ଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ପହଣ୍ଡିବେଳେ ଜଣେ ମହିଳା ଶ୍ରଦ୍ଧାଳୁ ରଥକୁ ଚଢ଼ିଥିବା କଥା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ସରକାର ଓ ପ୍ରଶାସନ ଶ୍ରୀମନ୍ଦିର ସେବକଙ୍କୁ ଠାକୁରଙ୍କ ସେବା ପାଇଁ ବିପୁଳ ପରିମାଣ ଅର୍ଥ ରାଶି ପ୍ରାପ୍ୟ ଓ କ୍ଷତିପୂରଣ ଦେବା ଘଟଣାକୁ ସୂଚନା କର୍ମର୍ୀ ପଣ୍ଡା ସ୍ୱାଗତ କରିଥିଲେ ମଧ୍ୟ ନବକଳେବର ଓ ବିଭିନ୍ନ ସମୟରେ ହେଉଥିବା ବିଶୃଙ୍ଖଳାକୁ ତିବ୍ର ନିନ୍ଦା କରିଛନ୍ତି । ଶ୍ରୀମନ୍ଦିରର ବିଭିନ୍ନ ନୀତିକାନ୍ତି ଓ ଯାନି ଯାତ୍ରାରେ ଆହୁରି ଶୃଙ୍ଖଳାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।