ନ୍ୟୁଜିଲାଣ୍ଡ ହେଲା କରୋନାମୁକ୍ତ

ନିତିଦିନ ବ୍ୟୁରୋ : ଦକ୍ଷିଣ ପ୍ରଶାନ୍ତସ୍ଥିତ ନ୍ୟୁଜିଲାଣ୍ଡ ଏବେ କରୋନାମୁକ୍ତ ହୋଇଯାଇଛି। ଏଠାରେ ଏବେ କୌଣସି କରୋନା ସଂକ୍ରମିତ ନାହାନ୍ତି। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ କହିଛନ୍ତି କି, ଶେଷ କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ଦେଶ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି।

ନ୍ୟୁଜିଲାଣ୍ଡରେ ସଂକ୍ରମଣର ଶେଷ ମାମଲା ୧୭ ଦିନ ପୂର୍ବରୁ ଆସିଥିଲା। ନ୍ୟୁଜିଲାଣ୍ଡ ଗତ ୧୭ ଦିନରେ ୪୦ ହଜାର ଲୋକଙ୍କ କରୋନା ଟେଷ୍ଟ କରିଥିବାବେଳେ ଗତ ୧୨ ଦିନ ହେବ କୌଣସି କରୋନା ରୋଗୀ ହସ୍ପିଟାଲରେ ନଥିବା ପ୍ରଧାନମନ୍ତ୍ରୀ ଅର୍ଡନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହିତ ମଧ୍ୟରାତ୍ରିରୁ ଦ୍ୱିତୀୟ ପର୍ଯ୍ୟାୟରେ ଦେଶକୁ ଖୋଲିବା ପାଇଁ ମନ୍ତ୍ରୀମଣ୍ଡଳ ସହମତି ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଅର୍ଡନ ଆହୁରି କହିଛନ୍ତି କି, ନିଶ୍ଚିତରୂପେ ନୂଆ ମାମଲା ସାମ୍ନାକୁ ଆସିବ କିନ୍ତୁ ଏହା ବିଫଳତାର ଅଂଶ ହେବ ନାହିଁ। କରୋନା ଭାଇରସର ଏହା ବାସ୍ତବିକତା ହୋଇଥିଲେ ମଧ୍ୟ ଆମକୁ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ରହିବାକୁ ପଡ଼ିବ।
ବିଶେଷଜ୍ଞଙ୍କ କହିବାନୁସାରେ, ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ସଂକ୍ରମଣ ସମାପ୍ତ ହେବା ପଛରେ ଅନେକ କାରଣ ରହିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ପ୍ରଶାନ୍ତସ୍ଥିତ ହୋଇଥିବା ଯୋଗୁ ଅନ୍ୟ ଦେଶରେ କିପରି ସଂକ୍ରମଣ ବ୍ୟାପୁଛି ତାହା ଏହି ଦେଶକୁ ଦେଖିବାର ସୁଯୋଗ ମିଳିଗଲା। ଦେଶକୁ ଖୁବଶୀଘ୍ର ଲକଡାଉନ କରିବା ସହ ସୀମାକୁ ମଧ୍ୟ ବନ୍ଦ କରିବାର ଅର୍ଡନଙ୍କ ନିଷ୍ପତ୍ତି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିଥିଲା।