ଖାଦ୍ୟପେୟ ବ୍ୟବସ୍ଥା ଦାବିରେ କରୋନା ଯୋଦ୍ଧାଙ୍କ ଧାରଣା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୋଭିଡ ହସ୍ପିଟାଲର କରୋନା ଯୋଦ୍ଧାମାନେ ଆଜି ଧାରଣା ଦେଇଛନ୍ତି। ଦିନରାତି ଦାୟିତ୍ୱ ତୁଲାଉଥିଲେ ମଧ୍ୟ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, କୋଭିଡ ହସ୍ପିଟାଲର ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ କରୋନା ମୁକାବିଲା ପାଇଁ ଦିନରାତ୍ରି କାର୍ଯ୍ୟ କରିବା ପରେ ଘରକୁ ଯାଇପାରୁନାହାନ୍ତି। ତେବେ ଘରକୁ ଗଲେ ମଧ୍ୟ ସାହି ପଡ଼ାବାସୀ ବିରୋଧ କରୁଛନ୍ତି। ତେଣୁ ଡ୍ୟୁଟି ପରେ ସେମାନେ ନିକଟସ୍ଥ ସାକ୍ଷରତା ସମିତି କାର୍ଯ୍ୟାଳୟରେ ରହିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଖାଇବାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ହଇରାଣ ହେଉଛନ୍ତି। ତେବେ କମ ଦରମାରେ ଘର ଚଳାଇବା ସହ ଅଲଗା ରୋଷେଇ କଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଫଳରେ ଅର୍ଥାଭାବ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥି ସହିତ ସାକ୍ଷରତା ସମିତି କାର୍ଯ୍ୟାଳୟ ପରିସରରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି ବୋଲି କହିଛନ୍ତି। ଏତଦବ୍ୟତୀତ ଗତ ୨ ମାସ ହେଲା ସୁରକ୍ଷାକର୍ମୀଙ୍କୁ ଦରମା ମିଳିନଥିବାରୁ ପରିବାର ଭରଣପୋଷଣରେ ସମସ୍ୟା ସୃଷ୍ଟି ହେଉଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ଅରୁଣ କୁମାର ପାଢ଼ୀଙ୍କୁ ପଚାରିବାରୁ ଉତ୍ତରରେ ସେ କହିଛନ୍ତି କି, ସେମାନେ ଆଉଟ ସୋର୍ସିଙ୍ଗରେ ନିଯୁକ୍ତ ହୋଇଥିଲେ ହେଁ ସେମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ପ୍ରଚେଷ୍ଟା ଦ୍ୱାରା ଆଜିଠାରୁ ସେମାମାନଙ୍କ ପାଇଁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।