କରୋନା ଭୂତାଣୁ : ନୋଏଡ଼ାରେ ଦୁଇଟି ସ୍କୁଲ ଛୁଟି, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,ଏଜେନ୍ସି : ଅଦ୍ୟାବଧି ଭାରତରେ ୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କେରଳରେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ସୋମବାର ଦିଲ୍ଲୀ ଓ ତେଲେଙ୍ଗାନାରୁ ଦୁଇ ଜଣ ଭାରତୀୟଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥିବା ଜଣାପଡ଼ିଛି। ଜୟପୁର ହୋଟେଲରେ ଅବସ୍ଥାନ କରିଥିବା ଜନୈକ ୬୯ ବର୍ଷୀୟ ଇଟାଲୀ ପର୍ଯ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସମ୍ପୃକ୍ତ ପର୍ଯ୍ୟଟକଙ୍କ ପତ୍ନୀଙ୍କୁ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ କରିଛି। ଉଭୟ ପତିପତ୍ନୀଙ୍କୁ ଜୟପୁର ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ରଖାଯାଇଛି ।

କରୋନା ଭୂତାଣୁ ଆଶଙ୍କାରେ ମଙ୍ଗଳବାର ନୋଏଡ଼ାସ୍ଥିତ ଶିବନାଦର ସ୍କୁଲକୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଗୌତମନଗରସ୍ଥିତ ଶ୍ରୀରାମ ମିଲେନିୟମ ସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ୩ ଦିନ ପାଇଁ ବନ୍ଦ କରାଯାଇଛି। ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଛୁଟି ଅବଧି ବୃଦ୍ଧି ପାଇବାର ସମ୍ଭାବନା ଅଛି। ସେହି ଅନୁସାରେ ପିଲାଙ୍କ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇବା ନିଷ୍ପତ୍ତି ନିଆଯାଇଛି। ନୋଏଡ଼ା ଓ ଗୌତମ ବୁଦ୍ଧ ନଗର ମୁଖ୍ୟ ମେଡିକାଲ ଅଫିସର୍ ନୋଟିସ୍ ଜାରି କରି ବିଦେଶରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକମାନଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି ।

ତା’ ସହିତ ଚୀନ୍, ଇରାନ୍ ଓ ସିଙ୍ଗାପୁର ସମେତ ୧୩ଟି ଦେଶରୁ ଭାରତକୁ ଫେରିଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କହିଛନ୍ତି। ସୋମବାର ହ୍ୱାଟ୍ସଆପ ଜରିଆରେ ଦୁଇଜଣ ଛାତ୍ରଙ୍କ ଅଭିଭାବକଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ଛାତ୍ରଙ୍କୁ ପରୀକ୍ଷାରେ ବସିବାକୁ ଦିଆଯାଇ ନଥିଲା। ସମ୍ପୃକ୍ତ ସ୍କୁଲକୁ ବନ୍ଦ କରି ଦିଆଯିବା ସହ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଅନୁମତି ଦେଇଥିବା ବେଳେ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତାବକ ଅନ୍ୟୂନ ୪୦ ପିଲାଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ସେମାନଙ୍କୁ ୨୮ ଦିନ ପାଇଁ ସ୍ୱତନ୍ତ୍ର ଭାବେ ରଖାଯାଇଛି। ତେବେ କୌଣସି ଛାତ୍ରଛାତ୍ରୀଙ୍କ ନିକଟରେ କରୋନା ଭୂତାଣୁ ଲକ୍ଷଣ ପ୍ରକାଶ ପାଇନଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଶ୍ରୀରାମ ମିଲେନିୟମ ସ୍କୁଲର ଅଭିଭାବକଙ୍କ ହ୍ୱାଟ୍ସଆପ ଗ୍ରୁପ ଜରିଆରେ ଦୁଇଜଣ ଛାତ୍ରଙ୍କ ଅଭିଭାବକଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥିବାର ବାର୍ତ୍ତା ମିଳିଥିଲା। ଫଳରେ ସୋମବାର ଅଧିକାଂଶ ପିଲା ସ୍କୁଲକୁ ଯାଇନଥିଲେ। ସ୍କୁଲକୁ ଭଲଭାବରେ ପରିଷ୍କାର କରିବା ପାଇଁ ଛୁଟି ଘୋଷଣା କରାଯାଇଛି ବୋଲି ଗୌତମ ବୁଦ୍ଧ ନଗର ମୁଖ୍ୟ ମେଡିକାଲ ଅଧିକାରୀ ଅନୁରାଗ ଭାର୍ଗବ କହିଛନ୍ତି।

ସେ କହିବା ଅନୁଯାୟୀ ସ୍କୁଲର ପ୍ରତ୍ୟେକ ରୁମକୁ ଭଲଭାବେ ପରିଷ୍କାର କରାଯିବ। ମେଡିକାଲ ଟିମ୍ ପରାମର୍ଶ ଅନୁସାରେ ସ୍କୁଲ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଇତିମଧ୍ୟରେ ଗୁରୁଗାଓଁସ୍ଥିତ ଆଉ ଗୋଟିିଏ ସ୍କୁଲରେ କରୋନା ସମ୍ପର୍କିତ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ମୟୂର ବିହାରରେ ଚିହ୍ନଟ କରୋନା ଆକ୍ରାନ୍ତ ଇଟାଲୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗତ ଶୁକ୍ରବାର ସେ ଆଗ୍ରାରେ ଅନୁଷ୍ଠିତ ଏକ ଜନ୍ମଦିନ ପାର୍ଟିରେ ଯୋଗଦେଇ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ପରୀକ୍ଷାରୁ ବାଦ ପଡ଼ିଥିବା ସ୍କୁଲ ଛାତ୍ରଙ୍କ ସଂକ୍ରମିତ ଅଭିବାବକମାନେ ଉକ୍ତ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ଉକ୍ତ ପାର୍ଟିରେ ଯୋଗ ଦେଇଥିବା ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

ମଙ୍ଗଳବାର ଆଗ୍ରାର ତାଜ ସିଟିରେ ଅନ୍ୟୂନ ୬ ଜଣଙ୍କୁ ସାଂଘାତିକ ଭାଇରାଲ୍ ଜ୍ୱର ହୋଇଥିବାର ରିପୋର୍ଟ ମିଳିଛି। ସେମାନେ ମୟୂର ବିହାରସ୍ଥିତ କରୋନା ପୀଡ଼ିତଙ୍କ ସଂସ୍ପର୍ଶରେ ଆସିଥିବାର କହିଛନ୍ତି। ସମ୍ପୃକ୍ତ ୬ ଜଣଙ୍କୁ ଅଲଗା ଭାବେ ରଖାଯିବା ସହ ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇ ପୁଣେସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। କରୋନା ଭୂତାଣୁ ପ୍ରକୋପରେ ବିଶ୍ୱବ୍ୟାପୀ ୩୧୦୦ ଲୋକ ମୃତ୍ୟୁବରଣ କଲେଣି । ୬୦ରୁ ଅଧିକ ଦେଶରେ ପ୍ରାୟ ୯୦ ହଜାର ଲୋକ ପୀଡ଼ିତ ହୋଇଛନ୍ତି।