ଆମକୁ କରୋନା ସହ ଆହୁରି ୧୫୫ ଦିନ ଯାଏଁ ଲଢିବାକୁ ପଡିବ : ସୁବ୍ରତ ବାଗଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱର ୧୬୭ ଦେଶକୁ ବ୍ୟାପି ସାରିଥିବା ମହାମାରୀ କରୋନାକୁ ମୁକାବିଲା କରିବାକୁ ଆହୁରି ୧୫୫ ଦିନ ସମୟ ଲାଗିବ । ଏଣୁ ଆମକୁ ସେତେବେଳ ଯାଏଁ ସତର୍କତା ଏବଂ ସଚେତନତା ବଜାଇ ରଖିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଚେତନତା ପାଇଁ ଗଠନ କରାଯାଇଥିବା ଟିମ୍ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ କରାଯାଇଥିବା ସାମ୍ବାଦିକ ସମ୍ମଳନୀରେ ସୁବ୍ରତ ବାଗଚୀ କହିଥିଲେ ଆମକୁ କରୋନା ମହାମାରୀ ସହ ୬ ମାସ ଯାଏ ଲଢିବାକୁ ପଡିବ । ସେହି ୬ ମାସରୁ ଆମେ ମାତ୍ର ୫ ଦିନ ଅତିକ୍ରମ କରିଛୁ । ଆମକୁ ଆହୁରି ୧୫୫ ଦିନ ଯାଏଁ ଲଢିବାକୁ ପଡିବ । ଗତକାଲି କରୋନା ୧୬୨ ଟି ଦେଶକୁ ବ୍ୟାପିଥିବା ବେଳେ ଆଜି ତାହା ୧୬୭ ଦେଶରେ ପହଞ୍ଚିଛି । ଏଣୁ ଏହାର ବ୍ୟାପ୍ତିକୁ ଦେଖି ଆମକୁ ସତର୍କ ହେବା ଆବଶ୍ୟକ । କରୋନାରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୨୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୯୯ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା କହିଛନ୍ତି ବାଗଚୀ । ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି ।