ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା

ନୂଆଦିଲ୍ଲୀ,ଏଜେନ୍ସି: ମହାମାରୀ କରୋନା ଭୂତାଣୁର ପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡୁଛି। ପୂର୍ବରୁ କରୋନା ଭୂତାଣୁ ଫୁସଫୁସ୍ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ଜଣାପଡିଥିଲା। ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ୧୧ ବର୍ଷୀୟା ନାବାଳିକାର କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଡାକ୍ତରଙ୍କ କହିବା ମୁତାବକ, କୋଭିଡ୍-୧୯ ସଂକ୍ରମଣ ଦ୍ୱାରା ୧୧ ବର୍ଷୀୟା ନାବାଳିକା ଆକ୍ୟୁଟ୍ ଡେମେଲିନାଟିଂ ସିଣ୍ଡ୍ରୋମ୍ (ଏଡିଏସ୍)ର ଶିକାର ହୋଇଥିବା ଜଣାପଡିଥିଲା। ସେ ଆମେରିକାରୁ ଆସିଥିବାବେଳେ ଧୀରେ ଧୀରେ ତାର ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ନେଇ ଜଣାଇଥିଲା। ନାବାଳିକାର ଏଭଳି ଅବସ୍ଥା କରୋନା ଭୂତାଣୁ ସଂକ୍ରମଣ ପାଇଁ ହୋଇଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ତେବେ ଇମ୍ୟୁନୋଥେରାପି ଦ୍ୱାରା ନାବାଳିକାର ଚିକିତ୍ସା କରାଯାଇଥିବା ବେଳେ ଏବେ ତାଙ୍କର ୫୦ ପ୍ରତିଶତ ଦୃଷ୍ଟିଶକ୍ତି ଫେରିଆସିଛି ଏବଂ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।