ଆଜି ଝାରସୁଗୁଡ଼ାରେ ପହଞ୍ଚିବ କରୋନା ଟିକା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ରାତି ସୁଦ୍ଧା କୋଭିଡ ଟିକା ପହଞ୍ଚିବ। ଆସନ୍ତା ୧୬ ତାରିଖରୁ ଟୀକାକରଣ ଆରମ୍ଭ ହେଉଥିବାବେଳେ ପ୍ରଥମେ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଏହି ଟିକା ପ୍ରଦାନ କରାଯିବ। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରଜାରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚପଡ଼ା ପ୍ରାଥମିକ ଚିକିତ୍ସାଳୟ ଏବଂ ବେଲପାହାଡ଼ର ଟିଆରଏଲ କ୍ରୋସାକି ହସ୍ପିଟାଲରେ ଟିକାକରଣ କରାଯିବ। ଏହି ଟିକାକରଣ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଲେଖାଏଁ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାରେ ୨୧ଟି ସ୍ଥାନରେ ଭେକ୍ସିନେସନ ପଏଣ୍ଟ ତିଆରି କରି କୋଭିଡ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ଆଜି ଭୁବନେଶ୍ୱରରୁ ଟିକା ଆସି ପହଞ୍ଚିବା ପରେ ଜିଲ୍ଲା ଭେକସିନ୍ ଷ୍ଟୋରରେ ରଖାଯିବ। କେତେ ଟିକା ଝାରସୁଗୁଡ଼ାକୁ ଆସୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ୧୬ ତାରିଖ ଅନ୍ତତଃ ୪ଶହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଆଶା ରଖିଛି। ପରେ ଟିକାର ପରିମାଣକୁ ଦେଖି ଜିଲ୍ଲାର ୪,୮୧୭ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶକର୍ମୀଙ୍କୁ ଟୀକା ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୩,୮୧୯ ସରକରୀ ଓ ୯୪୮ ଘରୋଇ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ତେବେ ଆଗମୀ ଦିନରେ ସରକାରଙ୍କ ଯୋଜନା ଅନୁସାରେ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଏହି ବୈଠକରେ ସିଡିଏମଓ ଡା. ଲାଲମୋହନ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସହ ଜିଲ୍ଲାସ୍ତରୀୟ ଡାକ୍ତର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।