ଆମେରିକାରେ ନଭେମ୍ବର ୧ରେ ମିଳିବ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ଆଉ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧ ତାରିଖରେ ଆମେରିକୀୟ ନାଗରିକଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ପ୍ରଦାନ କରିଛନ୍ତି। ନଭେମ୍ବର ୧ ତାରିଖରେ ଲୋକଙ୍କୁ ଟୀକା ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ଆମେରିକାର ସମସ୍ତ ରାଜ୍ୟକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଟ୍ରମ୍ପଙ୍କ ଏହି ଦାବିକୁ ରାଷ୍ଟ୍ରପତି ନିର୍ବାଚନ ସହ ଯୋଡ଼ାଯାଉଛି। ସମାଲୋଚକଙ୍କ କହିବାନୁସାରେ, ନିର୍ବାଚନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏହା ହେଉଛି ଟ୍ରମ୍ପଙ୍କ ଚାଲ୍।

ଆମେରିକାରେ କରୋନା ଭ୍ୟାକ୍ସିନ ବିତରଣ କରିବା ପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଡଲାସସ୍ଥିତ ମେକେସନ କୋର୍ପ ଆମେରିକାର ଫେଡେରାଲ ସରକାର ସହ ଚୁକ୍ତି କରିଛି। ସମଗ୍ର ଦେଶରେ କରୋନା ଭ୍ୟାକ୍ସିନ ଉପଲବ୍ଧ କରାଇବା ଲାଗି ବିତରଣ କେନ୍ଦ୍ର ସ୍ଥାପନ କରିବା ପାଇଁ କମ୍ପାନୀ ଅନୁମତି ମାଗିଛି। କିନ୍ତୁ ଆମେରିକୀୟ ସ୍ୱାସ୍ଥ୍ୟ ଏଜେନ୍ସି ସେଣ୍ଟର ଫର ଡିଜୀଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ (ସିଡିସି)ର ନିର୍ଦ୍ଦେଶକ ରାବୋର୍ଟ ରେଡଫୀଲ୍ଡ କହିଛନ୍ତି ଯେ, ଏହି ଅନୁମତି ପ୍ରାପ୍ତ କରିବା ପାଇଁ ଯେଉଁ ସମୟ ଲାଗିବ ତାହା ହିଁ ସାର୍ବଜନିକ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମରେ ବାଧା ସୃଷ୍ଟି କରିବ।