ଦେଶରେ ୪୪୭ ଜଣଙ୍କ ଠାରେ ଦେଖାଗଲା କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: କରୋନା କବଳରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି କରୋନା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟିକା ଦିଆଯାଉଛି। ତେବେ ଏହାରି ମଧ୍ୟରେ ଆସିଛି ଚିନ୍ତାର ବିଷୟ। ଏଯାବତ ୪୪୭ ଲୋକଙ୍କ ନିକଟରେ କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଏମାନଙ୍କ ମଧ୍ୟରୁ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କରୋନା ଟିକା ନେବା ପରେ କିଛି ଲୋକଙ୍କ ମଧ୍ୟରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଏଯାଏଁ ୪୪୭ ଜଣ ଲୋକଙ୍କ ନିକଟରେ ଏହାର ପ୍ରତିକୂଳ ପ୍ରଭାବ ପଡିଛି ଓ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଏହା ସମେତ ୩ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ୫୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରେ ଟିକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଏହି ଟିକା ନେଉଥିବା କେତେକ ସ୍ୱାସ୍ଥ୍ୟକର୍ମୀଙ୍କର ଆଲର୍ଜି ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୨,୨୪,୩୦୧ ଲୋକଙ୍କୁ ଟିକା ଦିଆଯାଇଛି।