ଦେବଗଡ଼ରେ ପହଞ୍ଚିଲା କରୋନା ଟିକା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଗତକାଲି ସଂନ୍ଧ୍ୟାରେ କୋଭିଡ-୧୯ ଟିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଚିଂଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଭ୍ୟାକ୍ସିନ ଷ୍ଟୋରରେ ସୁରକ୍ଷିତ ଭାବେ ରଖାଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟରେ ଦେବଗଡ଼ ଜିଲ୍ଲାକୁ ୧,୬୫୦ ଟିକା ଆସିଥିବାବେଳେ ପର୍ଯ୍ୟାୟକ୍ରମେ ଏହି ଟିକା ଜିଲ୍ଲାକୁ ଆସିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ୧୬ ତାରିଖରୁ ଦେବଗଡ଼ ଜିଲ୍ଲାରେ ଚିହ୍ନଟ କରାଯାଇଥିବା ୧୧ଟି କେନ୍ଦ୍ରରେ ଏହି ଟିକା ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଥମ ଦିନରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ଟି ଲେଖାଏଁ ଟିକା ଆଗଧାଡ଼ିରେ ରହିଥିବା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ପ୍ରତ୍ୟକ୍ଷ ଭାବେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।