ମାଲକାନଗିରିରେ ପହଞ୍ଚିଲା କରୋନା ଟିକା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରିରେ ପହଞ୍ଚିଲା କରୋନା ଟିକା। ଏକ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଭୁବନେଶ୍ୱରରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୬ଟାରେ ଏହି ଟିକାକୁ ଅଣାଯାଇ ମାଲକାନଗିରି ଔଷଧ ଗୋଦାମର ଫ୍ରିଜରେ ସୁରକ୍ଷିତ ଭାବେ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୫୨୮୮ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟିକା ପ୍ରଦାନ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ପାଇଁ ୩୬୦୦ଟି ଟିକା ଆସିଥିବା ବେଳେ ୩୪୦୦ ଜଣଙ୍କୁ ଏହି ଟିକା ପ୍ରଦାନ କରାଯିବ। ନଷ୍ଟ ହେବା କିମ୍ବା ଅଦରକାରୀ ଥିବା ସନ୍ଦେହ କରାଯାଇ ଅଧିକ ୨୦୦ଟି ଟିକା ଅଣାଯାଇଛି। ଜିଲ୍ଲାରେ ମୋଟ ୩ ଟି ସ୍ଥାନରେ ଟିକାକରଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ହେବ। ଏଥିପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ବେଳେ ଆସନ୍ତା ୧୬ ତାରିଖରେ ଏହି ଟିକା ପ୍ରଦାନ କରାଯିବ।