କୋଭିଡ ମୁକାବିଲା ପାଇଁ ନବୀନଙ୍କ ୭ ସୂତ୍ରୀ ଫର୍ମୁଲା: ତୃତୀୟ ଲହରୀ ପାଇଁ ଏବେ ଠାରୁ ସତର୍କ ରୁହ

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡର ତୃତୀୟ ଲହର ସଂପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ କର ଓ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରୁହ। ସବୁ ହସ୍ପିଟାଲରେ ଅକ୍ସିଜେନ ଓ ଅଗ୍ନୀ ସୁରକ୍ଷା ଉପରେ ଗୁରୁତ୍ୱ ଦିଅ। ସ୍ୱାଭାବିକ ଅବସ୍ଥା ଫେରିବା ଯାଏ ଟିକାକରଣ କରାଅ ଏବଂ ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟିକାକରଣ କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ସମୀକ୍ଷା କରିବା ଅବସରରେ କହିଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି। ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସାକେନ୍ଦ୍ର ଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଓ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ଼ ପ୍ରାଥମିକତା। ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ। ଅଧିକ କୋଭିଡ ରୋଗୀ ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବାକୁ ହେବ। ଆଇସିୟୁ ଓ ଏଚଡିୟୁ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରାଯାଉ। ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ। ଯେତେଶୀଘ୍ର ସମ୍ଭବ ଅଧିକ ପରିମାଣର ଟିକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି। କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖାଯାଉ। ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ନେବାକୁ ବାଧ୍ୟ। ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସ୍ପିଟାଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କୋଭିଡ ହସ୍ପିଟାଲ ଗୁଡ଼ିକରେ ହେଲ୍ପଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାରବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ। ଏଭଳି କଠିନ ସମୟରେ ଦୁଃଖ ଓ ଦୈନ୍ୟରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ‘ମୋ ସରକାର’ କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଏଭଳି କିଛି ଜରୁରୀ ନିଷ୍ପତ୍ତି ନିଆଯାଇଛି। ଗତ ଏକ ମାସ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ ସଂଖ୍ୟା ବହୁ ପରିମାଣରେ ବଢିଥିଲେ ମଧ୍ୟ କୋଭିଡ ଯୋଦ୍ଧାମାନଙ୍କର କଠୋର ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ପରିସ୍ଥିତିକୁ ଠିକ୍ ଭାବରେ ପରିଚାଳନା କରାଯାଇ ପାରିଛି। ତଥାପି ଆହ୍ୱାନ ବହୁତ ବଡ଼ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍ଡାଉନ ଲାଗୁ କରାଯାଇଛି। ଏହା ଠିକ୍ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ।

ଏହି କୋଭିଡ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା। ତେଣୁ ସହରାଞ୍ଚଳରେ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗରେ ଲୋକଙ୍କୁ ସହାୟତା କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସେ ପୁଣି କହିଛନ୍ତି, ଦେଶର ଅଳ୍ପ କେତେକ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ହେଉଛି ଏକ ରାଜ୍ୟ; ଯେଉଁଠାରେ କି କୋଭିଡର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା, ରହିବା ସୁବିଧା, ଖାଦ୍ୟ ଓ ଔଷଧ ପର୍ଯ୍ୟନ୍ତ ସବୁକିଛି ସରକାର ମାଗଣାରେ ଦେଉଛନ୍ତି । ଏହାଦ୍ୱାରା ସବୁ ବର୍ଗର ଲୋକ, ବିଶେଷ କରି ଗରିବ ଲୋକମାନେ ଭଲ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନିର୍ଭୟରେ ଆଗେଇ ଆସୁଛନ୍ତି। ଏଥିପାଇଁ ସରକାର ତାଙ୍କ ସମ୍ବଳର ଏକ ବଡ଼ ଅଂଶ ଖର୍ଚ୍ଚ କରୁଛନ୍ତି। ତେଣୁ ଲୋକଙ୍କୁ ଉତ୍ତମମାନର ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।