ମାଦ୍ରିଦ : କରୋନା ଭାଇରସ୍ ପ୍ରକୋପରୁ କେହି ବର୍ତ୍ତି ପାରିନାହାଁନ୍ତି । ସାରା ବିଶ୍ୱରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପୂର୍ବରୁ କେତେକ ମ୍ୟାଚ୍ ବାତିଲ କରାଯାଇଥିବା ବେଳେ ଷ୍ଟାଡିୟମ୍ ଭିତରକୁ ଦର୍ଶକଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଏହାରି ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଥିରେ ସଂକ୍ରମିତ ହୋଇ ସ୍ପେନର ୨୧ବର୍ଷୀୟ ଫୁଟବଲ୍ କୋଚ ଫ୍ରାନ୍ସିସ୍କୋ ଗାର୍ସିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସ୍ପେନିଶ୍ ଲିଗ୍ ସେକେଣ୍ଡ ଡିଭିଜନର ଯୁବ ଟିମ୍ ଏଟଲେଟିକୋ ପୋର୍ଟାଡ ଅଲ୍ଟାର କୋଚ ଗାର୍ସିଆ କୋଭିଡ-୧୯ରେ ପୀଡିତ ଥିଲେ । ଗାର୍ସିଆଙ୍କ ନିକଟରେ କରୋନା ଲକ୍ଷଣ ମିଳିବା ପରେ ତାଙ୍କୁ ମଲାଗା ହସ୍ପିଟାଲର ଆଇସୋଲେଶନ୍ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା । ହସ୍ପିଟାଲ ଯିବା ପରେ ଜଣାପଡ଼ିଥିଲା ଯେ, ସେ ଲ୍ୟୁକୋମିଆରେ ପୀଡିତ ଅଛନ୍ତି । ତେବେ ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ଯୁବ କୋଚ୍ ଗାର୍ସିଆଙ୍କ ମୃତ୍ୟୁ ଖବରରେ ଖେଳ ଜଗତ ସ୍ବବ୍ଧ ହୋଇଯିବା ସହ ଶୋକ ପ୍ରକାଶ କରିଛି ।
ଏଥିସହ ଗାର୍ସିଆଙ୍କ ପରିବାରଲୋକଙ୍କୁ ସମସ୍ତେ ସମବେଦନା ଜଣାଇଛନ୍ତି । ତେବେ କରୋନାରୁ ସଂକ୍ରମିତ ହୋଇ ଜୀବନ ଯାଇଥିବାଙ୍କ ମଧ୍ୟରେ ଗାର୍ସିଆ ହେଉଛନ୍ତି ୫ମ ସବୁଠାରୁ କନିଷ୍ଠ ବ୍ୟକ୍ତି । ଏହି ସଂକ୍ରମଣରେ ସ୍ପେନ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୩୦୦ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ଆଉ ସଂକ୍ରମିତଙ୍କ ସଂଖ୍ୟା ୯,୦୦୦କୁ ଟପିଛି ।