କରୋନା ଆତଙ୍କ : ଇରାନ୍-ଭାରତ ମଧ୍ୟରେ ବିମାନ ସେବା ବାତିଲ

ନୂଆଦିଲ୍ଲୀ,ଏଜେନ୍ସି : ଇରାନରେ କରୋନା ଭୂତାଣୁ ବ୍ୟାପୁଥିବାରୁ ଭାରତ ପକ୍ଷରୁ ବିମାନ ସେବା ବାତିଲ କରାଯାଇଛି। ସେହିପରି ଇରାନର ଦୁଇଟି ବିମାନସେବା ସଂସ୍ଥା ମହାନ୍ ଏୟାର୍ ଓ ଇରାନ୍ ଏୟାରର କୌଣସି ବିମାନକୁ ଭାରତରେ ଅବତରଣ ପ୍ରତି କଟକଣା ଜାରି କରାଯାଇଛି। ଇତିମଧ୍ୟରେ ଇରାନରେ ୨୬ ଜଣ କରୋନା ଭୂତାଣୁ ପୀଡ଼ିତ ପ୍ରାଣ ହରାଇଛନ୍ତି। ଏ ଯାବତ୍ ଇରାନରେ ୨୫୦ରୁ କରୋନା ପୀଡ଼ିତଙ୍କ ଚିହ୍ନଟ କରାଯାଇଛି। ଭାରତର ମୁମ୍ବାଇ ଓ ନୂଆଦିଲ୍ଲୀକୁ ଇରାନ ବିମାନସେବା ସଂସ୍ଥାର ଉଭୟ ଯାତ୍ରୀବାହୀ ଓ ମାଲବାଦୀ ବିମାନ ଚଳାଚଳ କରିଥାଏ।

ଚୀନରେ କରୋନା ଭୂତାଣୁ ବ୍ୟାପିବା ଦେଖି ଭାରତର ଇଣ୍ଡିଗୋ, ଏୟାର୍ ଇଣ୍ଡିଆ ସମେତ ବହୁ ବିମାନସେବା ସଂସ୍ଥା ହଂକଂ ଓ ଚୀନକୁ ବିମାନ ଉଡ଼ାଣ ବ୍ୟାହତ କରିଥିଲେ। ପରେ ବିସ୍ତାରା ମଧ୍ୟ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ବିମାନ ସେବା ବନ୍ଦ କରି ଦେଇଥିଲା। ଗୁରୁବାର ପାକ୍ ସରକାର ଇରାନକୁ ବିମାନ ଚଳାଚଳ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ପାକିସ୍ତାନରେ ଚିହ୍ନଟ ଦୁଇ କରୋନା ଭୂତାଣୁ ପୀଡ଼ିତଙ୍କ ମଧ୍ୟରୁ ଜଣେ ଇରାନରୁ ଆସିଥିବା ନେଇ ପାକ୍ ସରକାର କହିଛନ୍ତି। ଚୀନ୍ର ୟୁହାନ୍ ପ୍ରଦେଶରୁ ପ୍ରଥମେ ଚିହ୍ନଟ କରୋନା ଭୂତାଣୁ ଅଦ୍ୟାବଧି ବିଶ୍ୱର ୫୦ରୁ ଅଧିକ ଦେଶକୁ ସଂକ୍ରମଣ କରିଛି। ଫଳରେ ୮୦ ହଜାରରୁ ଅଧିକ ଲୋକ ପୀଡ଼ିତ ହୋଇଛନ୍ତି। ୩୦୦୦ରୁ ଅଧିକ କରୋନା ଭୂତାଣୁ ସଂକ୍ରମିତ ପ୍ରାଣ ହରାଇଛନ୍ତି।