ପାଟଣା,ଏନ୍ଏନ୍ଏସ୍: ଗତକାଲି ଶ୍ରମିକ ଦିବସ ଥିବାରୁ ସରକାର ଦେଶର ସମସ୍ତ ଶ୍ରମିକଙ୍କୁ ସମ୍ବୋଧିତ କରିଥିଲେ। ତେବେ ଆଜି ଏହି ଶ୍ରମିକ ମାନଙ୍କୁ କରୋନା ଦେଇଛି କରୁଣ ଦୁଃଖ। ଯାଜପୁର ଡୁବୁରୀ ସ୍ଥିତ ଟାଟା ଷ୍ଟିଲରେ ଶ୍ରମିକ ଭାବେ କାମ କରୁଥିବା ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ୯ ଜଣ ଶ୍ରମିକ ସାଇକେଲ ଯୋଗେ ଯାଜପୁରରୁ ବାହାରି ନିଜ ଭିଟାମାଟିକୁ ସାଇକେଲ ଯୋଗେ ଫେରୁଛନ୍ତି।
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ରାଜପଥ ଟଭାସରୁଆ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୯ ଶ୍ରମିକ ସାଇକେଲରେ ଆସି ପହଞ୍ଚିଛନ୍ତି। ତେବେ ସେମାନେ ସବୁ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ବୋଲି ଜଣାପଡ଼ିଛି। ଏମାନେ ୩୫୦ କିଲୋମିଟର ଯାତ୍ରା କରିବା ପରେ ନିଜ ଭିଟାମାଟିରେ ପହଞ୍ଚିବାର ଲକ୍ଷ ରଖିଛନ୍ତି। ଏହି ଶ୍ରମିକ ମାନେ ଜଣେ ଠିକାଦାରଙ୍କ ଅଧୀନରେ ଡୁବୁରୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ୫ ମାସ ହେଲା କାମ କରୁଥିଲେ।
କରୋନା ଯୋଗୁଁ ଦେଶ ଲକଡାଉନ ଓ ଫ୍ୟାକ୍ଟ୍ରି ବନ୍ଦ ଥିବା ଯୋଗୁଁ ଏହି ଶ୍ରମିକ ମାନେ ଡୁବୁରୀରେ ୧୪ ଦିନ ସଂଗରୋଧରେ ରହିବା ପରେ ଗୁରୁବାର ରାତ୍ରି ୩ଟାରୁ ସାଇକେଲରେ ବାହାରିଥିଲେ। ସମସ୍ତଙ୍କୁ ୪ହଜାର ୧ଶହ ଟଙ୍କା ଦେଇ ଗୋଟିଏ ଲେଖାଏଁ ସାଇକେଲ କିଣିବାକୁ ପଡିଥିଲା। ଦିନ ତମାମ ଶୁଖିଲା ବିସ୍କୁଟ ଖାଇ ଏମାନେ ନିଜ ଭିଟା ମାଟିରେ ପହଞ୍ଚିବା ଲକ୍ଷରେ ବାହାରିଛନ୍ତି।